ନୂଆପଡାରେ ବର୍ଷା, ତରତର ଚାଷୀ 


 ନୂଆପଡ଼ା: ନୂଆପଡ଼ାରେ ଶୁକ୍ରବାର ମୌସୁମୀ ପହଞ୍ଚିବା ସହ କଳାହାଣ୍ଡିଆ ମେଘ ଗର୍ଜିଛି । ଜିଲ୍ଲାକୁ ମୌସୁମୀ ପହଞ୍ଚି ଥିବାରୁ କିଛି ଅଞ୍ଚଳରେ ମୌସୁମୀ ବର୍ଷା ହୋଇଛି । ଚାଷୀକୂଳ ଆସ୍ୱସ୍ତ ହୋଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଆବଶ୍ୟ ଅନୁସାରେ ବିହନ ଓ ରାସାସାୟନିକ ସାର ପହଞ୍ଚି ନଥୁବାରୁ ଚାଷୀ ଚିନ୍ତା ପ୍ରକଟ କରିଛନ୍ତି ।  
ମୌସୁମୀ ବର୍ଷା ପରେ ଚାଷୀକୂଳ ତରତର ହୋଇଛି । ପ୍ରଥମ ବର୍ଷା ପରେ ଚାଷୀ ହଳ ଲଙ୍ଗଲକୁ ସଜାଡ଼ିବାରେ ଲାଗିଛି । ମାଟିଓଦା ହେବା ପରେ ଅନ୍ନଦାତା ପୁରା ଚଳ ଚଞ୍ଚଳ ହୋଇଉଠିଛନ୍ତି । ଆଗୁଆ ଚାଷ କରି ଭଳ ଅମଳ କରିବାକୁ ଆଗଭର ହୋଇଛି । ବଢେଇ (କାଠ ମିସ୍ତ୍ରୀ) ପାଖରେ ଚାଷୀ ନୂଆକାଠରେ ଲଙ୍ଗଲ ତିଆରି କରୁଛି । ପୁରୁଣା ଲଙ୍ଗଳ, ଜୁଆଡ଼, ହିଁଶକୁ ମରାମତି ସହ ଦଉରା, ଜୁତା ସଜଡୁଛି । ଲଙ୍ଗଲରେ ବ୍ୟବହୃତ ଲୁହା କସନା, ଗୁଳି ତିଆରି ପାଇଁ କମାର ଶାଳରେ ଚାଷୀଙ୍କ ଭିଡ଼ ଜମୁଛି । ପ୍ରତିଯୋଗିତା ମନୋଭାବ ନେଇ ଚଳଚଞ୍ଚଳ ହୋଇଛି ଚଷାପୁଅ । ବଡ ଚାଷୀ ଟ୍ରାକ୍ଟରରେ ଜମିକୁ ଜୋତା ବେଉସା କରୁଛି । ଏକ ଫସଲି ଅଞ୍ଚଳର ଚାଷୀ ଖରା ୬ ମାସ ଘରେ ବସି ଏବେ ଚାଷଜମିରେ ଡେରା ପକାଇଛି । ଖରା ଦିନରେ ହଳ କରିଥିବା ଜମିରେ ଖରଡ଼ି ଧାନ ବୁଣା ଆରମ୍ଭ  ପାଇଁ ପହ୍ନା ହୋଇଛି । ବତରି ଧାନବୁଣା ପାଇଁ ଚାଷିଜମି ଓ ରୁଆଧାନ ପାଇଁ ? କିଆରିକୁ  ପ୍ରସ୍ତୁତ କରୁଛି । ଅର୍ଥକାରୀ ଫସଲ କପା ଓ ମକା ପାଇଁ ଚାଷଜମି ପ୍ରସ୍ତୁତରେ ଚାଷୀ ଲାଗିପଡ଼ିଛନ୍ତି । ଚଳିତବର୍ଷ ପାଣିପାଗ ବିଭାଗ ଭଲ ବର୍ଷା ହେବାର ଅନୁମାନ କରିଛି । ଏହାକୁ ଭିଭି କରି ଦୃଢ ମନୋବଳ ସହିତ ଚାଷୀ ଚାଷ କାମକୁ ଆରମ୍ଭ କରିଛି । ନୂଆପଡ଼ା ଜିଲ୍ଲାରେ ୧୨,୩୮୪ କ୍ରିଣ୍ଟାଲ ସରକାରୀ ଧାନ ବିହନ ଜନ ଲଗାଇବାର କାର୍ଯ୍ୟକ୍ରମ ରହିଛି  । ସେଥୁରୁ ୬,୬୫୦କ୍ରିଣ୍ଟାଲ ପେକ୍ସ ପେକ୍ସ ଓ ୫,୭୩୪ କ୍ରିଣ୍ଟାଲ ଡିଲର ଜରିଆରେ ଯୋଗାଇ ହେବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୫,୭୦୮ କ୍ରିଣ୍ଟାଲ ଧାନ ବିହନ ଜିଲ୍ଲାକୁ ପହଞ୍ଚିଥିବାବେଳେ ଆବଶ୍ୟକତାଠାରୁ ୬,୬୭୬ ଦ୍ୱିଣ୍ଟାଲ ଧାନ ବିହନ ପହଞ୍ଚି ପାରିନାହିଁ  । ସେହିପରି ୟୁରିଆ ୧୧,୫୦୦ ମେଟ୍ରିକଟନ, ଡିଏପି ୮୦୦୦ଏମଟି, ପୋଟାସ ୧୩୦୦ ଏମଟି, ସୁପର ୪୦୦ ଏମଟି ଓ କମ୍ପ୍ଲେକ୍ସ ଫର୍ଟିଲାଇଜର ୧୫୦୦ ଏମଟି ସମେତ ସର୍ବମୋଟ ୨୨, ୭୦୦ ଏମଟି ରାସାୟନିକ ସାର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ୟୁରିଆ ୨୮୬୬ ଏମଟି, ଡିଏପି ୩୨୧୬ ଏମଟି, ପଟାସ ୩୦ ଏମଟି, ସୁପର ୩୦ ଏମଟି ସମେତ ୬୧୪୨ ଏମଟି ରାସାୟନିକ ସାର ପହଞ୍ଚି ସାରିଛି । କିନ୍ତୁ କମ୍ପ୍ଲେକ୍ସ ପର୍ଟିଲାଇଜର ମୋଟେ ପହଞ୍ଚି ପାରିନାହିଁ  । ଏଭଳି ଜିଲ୍ଲାରେ ସର୍ବମୋଟ ଆବଶ୍ୟକତାଠାରୁ ୧୬୫୫୮ ମେଟ୍ରିକ ଟନ କମ ପରିମାଣର ରାସାୟନିକ ସାର ପହଞ୍ଚିଛି ସେହିପରି ନାନୋ ୟୁରିଆ ୧୪୭୮୫ ବୋଟଲ ଓ ନାନୋ ଡିଏପି ୫୯୨୬ ବୋଟଲ ରାସାୟନିକ ସାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନାନୋ ୟୁରିଆ ଓ ଡିଏପି ପହଞ୍ଚି ନଥୁବା କୃଷୀ ବିଭାଗ ତରଫରୁ ସୂଚନା ମିଳିଛି । ଏବେ ବିହନ ଓ ରାସାୟନିକ ସାରର ଅଭାବି ବିକ୍ରିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଏଣୁ ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ବିହନ ଓ ରାସୟନିକ ସାର ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି ।