ଶୀତଦିନେ କେମିତି ନେବେ ପେଟର ଯତ୍ନ ?

ଶୀତଦିନେ କେମିତି ନେବେ ପେଟର ଯତ୍ନ ?

ଶୀତ ଋତୁରେ ଥଣ୍ଡାରୁ ଆଶ୍ବସ୍ତି ପାଇଁ ଗରମ କପଡ଼ା ପିନ୍ଧିବା , କମ୍ବଳ ଘୋଡ଼ାଇ ହୋଇ ଶୋଇବା , ଉଷୁମ ପାଣିରେ ଗାଧୋଇବା , ଗରମ ପାଣି ପିଇବା , ଅଧିକଥର ଚା’ ଓ କଫିର ସେବନ ଯୋଗୁଁ ଏ ଋତୁରେ ପେଟ ଗରମ ହେବାର ସମସ୍ୟା ମଧ୍ୟ ଅଧିକ ଦେଖାଯାଏ । ଯାହାଦ୍ବାରା ଝାଡ଼ାବାନ୍ତିର ସମସ୍ୟା ମଧ୍ୟ ଲାଗିରୁହେ ।

ଶରୀରକୁ ଗରମ ରଖିବା ପାଇଁ ଅଧିକ କ୍ୟାଲୋରୀର ଆବଶ୍ୟକତା ପଡ଼ିଥାଏ । ଏହି କ୍ୟାଲୋରୀ ଯୋଗୁଁ ପାଚନ ତନ୍ତ୍ର ଅଧିକ ସକ୍ରିୟ ମୋଡ୍ କୁ ଚାଲିଆସେ ଯାହାଦ୍ବାରା ଭୋକ ମଧ୍ୟ ଅଧିକ ଲାଗେ । ଯେତେଥର ଭୋକ ଲାଗିବ ସେତେଥର ଖାଇବା ଦ୍ବାରା ପାଚନତନ୍ତ୍ର ଉପରେ ଏହାର ଗଭୀର ପ୍ରଭାବ ପଡ଼େ । ହଜମ ନହେବା କାରଣରୁ ଶୀତଦିନେ ଛାତି ଜଳିବା ସହ ପେଟ ଖରାପ ହୁଏ। ଏହି ସମୟରେ ପେଟକୁ ଥଣ୍ଡା ଲାଗିବା ଏକ ସାଧାରଣ ସମସ୍ୟା ନୁହଁ , ତେଣୁ ଏହାକୁ ଅଣଦେଖା ନକରି କେମିତି ଉପଚାର ହୋଇପାରିବ ସେ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ମଧ୍ୟ ଯଦି ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆୟୁର୍ବେଦିକ ଉପାୟରେ ନିଅନ୍ତୁ ନିଜ ଉଦରର ଯତ୍ନ । 

ରୋଷେଇ ଘରେ ଥିବା ଜିରା , ଧନିଆ , ମେଥି , ପାନମଧୁରୀ ଓ ଜୁଆଁଣୀକୁ ମିଶାଇ କାଢା ପ୍ରସ୍ତୁତ କରନ୍ତୁ । ଦିନକୁ ୨ ଥର ଲେଖାଏଁ ଏହି କାଢାକୁ ସେବନ କରନ୍ତୁ । ଏ ସବୁ ମସଲା ଆଣ୍ଟିଅକ୍ସିଡେଣ୍ଟ୍ , ଆଣ୍ଟିଭାଇରାଲ୍ , ଆଣ୍ଟିସେପ୍ଟିକ୍ ସହିତ ଏଭଳି ଜବରଦସ୍ତ ପୋଷକ ତତ୍ତ୍ବରେ ଭରପୂର ରହିଛି ଯାହା ଆପଣଙ୍କ ଶରୀରର ତାପମାନକୁ ନର୍ମାଲ୍ ରଖିବାରେ ସହାୟକ ହେବ । ଏହି ପ୍ରୋସେସଟି କରିବା ପାଇଁ ପ୍ରଥମେ ଉପରୋକ୍ତ ଦିଆଯାଇଥିବା ସବୁ ମସଲାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଏହାର ପାଣିକୁ ଛାଣି ପିଇନିଅନ୍ତୁ । ଫାଇଦା କମ୍ ଦିନରେ ଜାଣିପାରିବେ । 

ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଶିଲାଜିତ୍ , କେସର , ମହୁ ଏବଂ ପାଣିକୁ ମିଶାଇ ସେବନ କରିପାରନ୍ତି । ଏଥିପାଇଁ କରେଇରେ ପ୍ରଥମେ ପାଣିକୁ ଫୁଟାଇ ନିଅନ୍ତୁ । ଫୁଟନ୍ତା ପାଣିରେ ଶିଲାଜିତ୍ ଓ କେସରକୁ ଗୋଳାଇ ଦିଅନ୍ତୁ । ଏହି ପାଣିକୁ ଛାଣି ସେଥିରେ ମହୁ ମିଶାନ୍ତୁ । ଏହି ପେୟକୁ ଦିନକୁ ୨ ଥର ଲେଖାଏଁ ସେବନ କରିପାରିବେ । 

ତେବେ ଆପଣଙ୍କୁ କହିରଖୁଛୁ , ଆପଣଙ୍କ ଶରୀର ଯଦି କୌଣସି କାଢ଼ା କିମ୍ବା ଅନ୍ୟ କୌଣସି ମସଲା ସେବନ କରିବାକୁ ଅମଙ୍ଗୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଏଥିପାଇଁ ଭିନ୍ନ ଔଷଧ ଖାଇପାରିବେ । ସୁସ୍ଥ ସମ୍ପୁର୍ଣ୍ଣ ଜୀବନ ସମସ୍ତଙ୍କ ଅଧିକାର ଆଜ୍ଞା , ଏଥିରେ ହେୟଜ୍ଞାନ କରିବା ଅନୁଚିତ୍ । ଆମେ କେବଳ ଆପଣଙ୍କୁ ଟିପ୍ସ ଦେଇପାରିବୁ କିନ୍ତୁ ଏହା ଆପଣଙ୍କ ଶରୀର ପ୍ରତି କେତେ ଉପକାରୀ ତାହା ଆପଣ ଡାକ୍ତରଙ୍କଠାରୁ ହିଁ ଜାଣିପାରିବେ ।