ବିରୋଧୀ ମେଣ୍ଟ ଓ ନେତୃତ୍ୱର ପ୍ରାସଙ୍ଗିକତା
ଗୋପାଳ ମହାପାତ୍ର : ୨୦୨୪ର ଲୋକସଭା ନିର୍ବାଚନ ବେଳେ ଇଣ୍ଡିଆ ମେଣ୍ଟ ବିଜେପି ବିରୁଦ୍ଧରେ ଲଢିଥିଲା ଓ ବିଜେପିକୁ ସଂଖ୍ୟାଗରିଷ୍ଠତା ଠାରୁ ଦୂରେଇ ରଖିବାରେ ସଫଳ ହୋଇଥିଲା । ଫଳତଃ ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାରଙ୍କୁ ବାଧ୍ୟ ହୋଇ ସରକାରରେ ସାମିଲ କରିଥିଲା ବିଜେପି । ନିର୍ବାଚନର ଫଳାଫଳ ପରେ ଆଶା କରାଯାଉଥିଲା ଯେ ଇଣ୍ଡିଆ ମେଣ୍ଟ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଜବରଦସ୍ତ ମୁକାବିଲା କରିବ । କିନ୍ତୁ ଏବେ ଦେଖାଯାଉଛି ଯେ ଯାହା ଆଶା କରାଯାଉଥିଲା ତାହା ହେଉନାହିଁ । ଇଣ୍ଡିଆ ମେଣ୍ଟ ଭିତରେ ସାମଞ୍ଜସ୍ୟର ଅଭାବ ଏବଂ ଗଭୀର ମତଭେଦ କାରଣରୁ ମେଣ୍ଟ ଏବେ ଅପ୍ରାସଙ୍ଗିକ ହେବାରେ ଲାଗିଛି । ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଇଣ୍ଡିଆ ମେଣ୍ଟ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି । ହରିଆଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଏବଂ ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ଏବେ ଏହି ମେଣ୍ଟ ବିଭାଜିତ ଅବସ୍ଥାରେ ଓ କେବେବି ବିଜେପିର ମୁକାବିଲା କରିପାରିବ ନାହିଁ ବୋଲି ସ୍ପଷ୍ଟ ହେବାକୁ ଲାଗିଲାଣି । ଲୋକସଭା ନିର୍ବାଚନରେ ବିଜେପିକୁ ଝଟକା ଲାଗିଥିଲା ନିଶ୍ଚୟ, କିନ୍ତୁ ଦଳ ତାର ସ୍ଥିତିକୁ ସୁଧାରିବାରେ ଲାଗିଛି ଏବଂ ବିଧାନ ସଭା ନିର୍ବାଚନରେ ବିଜୟ ପରେ ବିରୋଧୀ ମେଣ୍ଟର ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । କିନ୍ତୁ ବିରୋଧୀ ମେଣ୍ଟର ନେତା ମାନେ ଏ ଘଟଣାକୁ ନେଇ ଚିନ୍ତିତ ଥିବା ପରି ଜଣାପଡୁନାହିଁ । ସଂସଦ ଭିତରେ କି ବାହାରେ ବିରୋଧୀ ନେତାଙ୍କ ମଧ୍ୟରେ ସମନ୍ୱୟ ମଧ୍ୟ ନାହିଁ । ଦିଲ୍ଲୀରେ ଆମ୍ଆଦମୀ ପାର୍ଟିକୁ ଯେଉଁ ଧକ୍କା ଲାଗିଲା ସେଥିରୁ ବିରୋଧୀ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ଥିବା ମତଭେଦ ସ୍ପଷ୍ଟ ହୋଇଯାଇଛି । ମେଣ୍ଟର କେତେକ ନେତା ଆମ୍ ଆଦ୍ମୀ ପାର୍ଟିକୁ ସମର୍ଥନ କରିଥିବା ବେଳେ କଂଗ୍ରେସ ବିଜେପି ଅପେକ୍ଷା ଆପ୍କୁ ଅଧିକ ସମାଲୋଚନା କରିଥିଲା । ଇଣ୍ଡିଆ ମେଣ୍ଟ ଠିକ୍ ଅଛି ବୋଲି କୁହାଯାଉଛି କିନ୍ତୁ ମେଣ୍ଟର ନେତାମାନେ ପରସ୍ପର ତଣ୍ଟି କାଟିବାରେ ଲାଗିଛନ୍ତି । ଦିଲ୍ଲୀରେ ଯଦି ଆପ୍ ଓ କଂଗ୍ରେସ ମିଳିମିଶି ନିର୍ବାଚନ ଲଢ଼ିଥାନ୍ତେ ହୁଏତ ଫଳ କିଛି ଭିନ୍ନ ହୋଇଥାନ୍ତା । ସେହିପରି ଯଦି ହରିଆଣାରେ ଆପ୍ ଭୋଟ ବିଭାଜନ କରିନଥାନ୍ତା ତେବେ ହୁଏତ କଂଗ୍ରେସ ସରକାର ଗଢ଼ିଥାନ୍ତା ।
କଂଗ୍ରେସ ଏବେ ବୁଝିଗଲାଣି ଯେ ଅନେକ ଆଞ୍ଚଳିକ ଦଳ କଂଗ୍ରେସର କାନ୍ଧରେ ଗୋଡ଼ ରଖି ସଫଳତା ହାସଲ କରିବାରେ ଲାଗିଛନ୍ତି । ଏହି ଅବସ୍ଥା ରହିଲେ କଂଗ୍ରେସ ତାର ସ୍ଥିତି ହରାଇବସିବ । ଏହି ଅବସ୍ଥାକୁ ରୋକିବା ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଆପ୍କୁ ବିରୋଧୀ କରିଥିଲା । କିନ୍ତୁ ହିନ୍ଦୀ ଭାଷାଭାଷୀ କ୍ଷେତ୍ରରେ ବିଜେପି ସହ କଂଗ୍ରେସ ମୁକାବିଲା କରି ପାରୁନାହିଁ । ଏହି କାରଣରୁ ମେଣ୍ଟରେ କଂଗ୍ରେସର ସ୍ଥିତି ମଧ୍ୟ ଦୁର୍ବଳ ହେଉଛି । କଂଗ୍ରେସ ଏକଥା ମଧ୍ୟ ବୁଝିଛି ଯେ ଆଞ୍ଚଳିକ ଦଳମାନେ କଂଗ୍ରେସର ପରମ୍ପରାଗତ ସମର୍ଥନ ବିଶେଷ କରି ଦଳିତ ଏବଂ ମୁସଲିମ ଭୋଟରଙ୍କୁ ନିଜ ଆଡକୁ ଟାଣିନେଲେଣି । ଅନ୍ୟ ପକ୍ଷରେ ଆଞ୍ଚଳିକ ଦଳମାନେ କଂଗ୍ରସକୁ ସେମାନଙ୍କ ପାଇଁ ବାଧକ ବୋଲି ଭାବୁଛନ୍ତି । ଦିଲ୍ଲୀରେ କଂଗ୍ରେସକୁ ମାତ୍ର ୬ ପ୍ରତିଶତ ଭୋଟ ମିଳିଥିଲା । କିନ୍ତୁ ଆପ୍ ସରକାର ଗଢି ପାରିଲା ନାହିଁ । ଏବେ ମେଣ୍ଟ ପକ୍ଷରୁ କୌଣସି ମିଳିତ କାର୍ଯ୍ୟକ୍ରମ ନାହିଁ କିମ୍ବା ମେଣ୍ଟ ନେତା ମାନଙ୍କର ବୈଠକ ମଧ୍ୟ ବସୁନାହି । ସଂସଦରେ ମଧ୍ୟ ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କ ମଧ୍ୟରେ ଏକଜୁଟତା ଦେଖିବାକୁ ମିଳୁନାହିଁ । ଏବେ ମେଣ୍ଟରେ ସାମିଲ ଅନେକ ଆଞ୍ଚଳିକ ଦଳ କଂଗ୍ରେସ ସହ ରହିବାକୁ ମଧ୍ୟ ଇଛା ପ୍ରକାଶ କରୁନାହାଁନ୍ତି । ସେମାନେ ଭାବୁଛନ୍ତି କଂଗ୍ରେସ ସହ ରହିଲେ ଲାଭ ନାହିଁ ବରଂ କ୍ଷତି ।
ରାହୁଳ ଗାନ୍ଧୀ କଂଗ୍ରେସ ଏବଂ ବିରୋଧୀ ଦଳଙ୍କ ଶକ୍ତି ଏବଂ ବାଧ୍ୟବାଧକତା ମଧ୍ୟ । ରାହୁଳ ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି ଏବଂ ସରକାରଙ୍କୁ ଘେରୁଛନ୍ତି । ବିରୋଧୀ ଦଳର କୌଣସି ନେତାଙ୍କର ଏଭଳି କ୍ଷମତା ନାହିଁ । ରାହୁଳ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି କିନ୍ତୁ ଅନ୍ୟମାନଙ୍କୁ ସାଥିରେ ନେଇ ·ଲିବାକୁ ଇଛା କରିନାହାଁନ୍ତି । ଏହାକୁ ତାଙ୍କର ସ୍ୱଭାବ ବୋଲି ମଧ୍ୟ କୁହାଯାଇପାରେ । ରାହୁଳଙ୍କର ଧୈର୍ଯ୍ୟ ନାହିଁ କିମ୍ବା ବିନମ୍ରତା ନାହିଁ । ଏକାକୀ ଚାଲ କଥା ରାଜନୀତିରେ ଚାଲେ ନାହିଁ । ଅଭିଯୋଗ ହେଉଛି ଯେ ରାହୁଳ ବିରୋଧୀ ଦଳର ନେତାମାନଙ୍କୁ ଭେଟିବା ପାଇଁ ସମୟ ଦେଉନାହାଁନ୍ତି । ଯେମିତି ମନମୋହନ ସିଂହଙ୍କ ସରକାରରେ ସୋନିଆ ଗାନ୍ଧୀ ମେଣ୍ଟର ନେତା ମାନଙ୍କ ସହ ସମନ୍ୱୟ ରକ୍ଷା କରୁଥିଲେ ସେଭଳି ମାନସିକତା ରାହୁଳଙ୍କ ଠାରେ ଦେଖିôବାକୁ ମିଳୁନାହିଁ । ଲୋକସଭାରେ ବିରୋଧୀଦଳର ନେତା ହେବା ପରେ ଆଶା କରାଯାଉଥିଲା ଯେ ରାହୁଳ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଭାବିକ ବିକଳ୍ପ ଭାବେ ଉଭାହେବେ, କିନ୍ତୁ ସେଭଳି କିଛି ହେବ ବୋଲି ଜଣାପଡୁନାହିଁ । ରାଷ୍ଟ୍ରୀୟ ସର୍ବେକ୍ଷଣ ଏବେବି ରାହୁଳ ଗାନ୍ଧୀଙ୍କୁ ସବୁଠାରୁ ପ୍ରଭାବଶାଳୀ ବିରୋଧୀ ନେତା ବୋଲି କହୁଛି କିନ୍ତୁ ଲୋକପ୍ରିୟତା ପ୍ରସଙ୍ଗରେ ରାହୁଳ ନରେନ୍ଦ୍ର ମୋଦୀଙ୍କ ସମକକ୍ଷ ହୋଇ ପାରିବେ ନାହିଁ । ଅନ୍ୟ ବିରୋଧୀ ନେତାଙ୍କୁ ସାଥିରେ ନନେବା ତାଙ୍କର ଏକ ଅସଫଳତା ଏବଂ ଆଦାନୀ ପ୍ରସଙ୍ଗକୁ ଧରି ଅଡି ବସିବା ଦ୍ୱାରା ତାଙ୍କ ପ୍ରଭାବ ବଢିନାହିଁ । ଏବେ ଦେଶର ପ୍ରମୁଖ ସମସ୍ୟା ହେଉଛି ବେରୋଜଗାରୀ, ଆଦାନୀ ନୁହେଁ । ଶରଦ ପାଓ୍ୟାର ଏ ପ୍ରସଙ୍ଗରେ କହିଛନ୍ତି ଯେ ସଂସଦ ସମୟକୁ ଅନ୍ୟ ପ୍ରସଙ୍ଗରେ ବ୍ୟବହାର କରାଯିବା ଉଚିତ୍ । କିନ୍ତୁ ରାହୁଳ ଶୁକ୍ରାଚାର୍ଯ୍ୟ ଗୋଟିଏ ଆଖିରେ ଦେଖିବା ଭଳି ଓ୍ୟାନଟ୍ରାକ୍ରେ ଚାଲିଛନ୍ତି । ଯେଉଁ ପ୍ରସଙ୍ଗକୁ ଧରୁଛନ୍ତି ତାଙ୍କୁ ଛାଡୁ ନାହାଁନ୍ତି । ଏଠି ମନେ ପକାଇ ଦିଆଯାଇପାରେ “ଚୌକୀଦାର ଚୋରହେ” ଅଭିଯାନ । ରାହୁଳଙ୍କର ଏହି କଥା/ପ୍ରସଙ୍ଗ ଗୁରୁତ୍ୱହୀନ ହୋଇଯାଇଥିଲା । ରାହୁଳ ଏକଥା ବୁଝିବା ଉଚିତ୍ ଯେ କେତେଦିନ ପର୍ଯ୍ୟନ୍ତ ସମ୍ବିଧାନର କପିକୁ ଦେଖେଇ ଚାଲିବେ? ସମସ୍ତେ ଜାଣନ୍ତି ସମ୍ବିଧାନ ଉପରେ ବିପଦ ଆସିପାରିବ ନାହିଁ ।
ଅନେକ ରାଜନୈତିକ ବିଶ୍ଲେଷକଙ୍କ ମତରେ ରାହୁଳ ଜଣେ ଭଲ ମଣିଷ କିନ୍ତୁ ଅନେକ ସମୟରେ ଭୁଲ ପ୍ରସଙ୍ଗ ଉଠାଉଛନ୍ତି ଯାହାର ଫାଇଦା ନେଉଛି ବିଜେପି, କଂଗ୍ରେସ ଦଳ ତାର ନେତୃତ୍ୱକୁ ଗଣତାନ୍ତ୍ରିକ କରିବା ଆବଶ୍ୟକ କିନ୍ତୁ ନେତୃତ୍ୱ ଗାନ୍ଧୀ ପରିବାରର ସଦସ୍ୟ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ସୀମିତ ରହିଛି । ନୂଆ ମାମଲା ଶଶିଥରୁରଙ୍କୁ ନେଇ । ଶଶିଥରୁର କେରଳରୁ ୪ଥର ନିର୍ବାଚନ ଜିତିଛନ୍ତି ଓ ତାଙ୍କର ଏକ ବଳିଷ୍ଠ ବ୍ୟକ୍ତିତ୍ୱ ରହିଛି ଏପରିକି ଜନ ସମର୍ଥନ ମଧ୍ୟ ରହିଛି । କିନ୍ତୁ ଦଳରେ ତାଙ୍କୁ ଗୁରୁତ୍ୱ ଦିଆନଯିବା କାରଣରୁ ସେ ଅସନ୍ତୁଷ୍ଟ । ଶଶିଥରୁର ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ପ୍ରଶଂସା କରିଥିଲେ । ଏଣୁ ଦଳୀୟ ନେତୃତ୍ୱ ତାଙ୍କ ଉପରେ ଅସନ୍ତୁଷ୍ଟ । ଯଦି ଶଶି ଥରୁର ଦଳ ଛାଡି ଦିଅନ୍ତି ତେବେ ଦଳର ନେତୃତ୍ୱକୁ ଝଟକା ଲାଗିବ ନିଶ୍ଚୟ ଏବଂ ସାଧାରଣରେ ଏକ ବାର୍ତ୍ତା ଯିବ ଯେ ଦଳ ଭଲ ଲୋକଙ୍କୁ ସମ୍ଭାଳି ପାରୁନାହିଁ । କଂଗ୍ରେସ ନେତୃତ୍ୱ ଶଶି ଥରୁରଙ୍କ ଉପରେ ଅସନ୍ତୁଷ୍ଟ ହେବାର କାରଣ ହେଉଛି ୨୦୨୨ରେ କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ବେଳେ ସୋନିଆ ଗାନ୍ଧୀ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସମର୍ଥନ କରୁଥିବା ବେଳେ ଶଶି ଥରୁର ଖଡଗେଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ । ହୁଏତ ଏହା ଦଳୀୟ ନିୟମର ବିରୁଦ୍ଧାଚରଣ କିନ୍ତୁ ଦଳରେ ପ୍ରତିଭାବାନ୍ ବ୍ୟକ୍ତିଙ୍କ ଅଭାବ ଦଳକୁ ଦୁର୍ବଳ କରିଦେବ । ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱର ଅଙ୍କ କାମ କଲାନାହିଁ । ଦଳମଧ୍ୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କଲାନାହିଁ । ନରେନ୍ଦ୍ର ମୋଦୀ ନିଜେ ସବୁ ତଦାରଖ କରୁଛନ୍ତି । ସଂସଦରେ କେବଳ ଭାଷଣ ଦେଲ ଯେ ରାଜନୀତି ଚମକି ଉଠିବ ତା ନୁହେଁ । କଂଗ୍ରେସ ନେତୃତ୍ୱ ଠାରୁ ନିରାଶ ହେବା ପରେ ଯେତେବେଳେ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟ ନେତା ହେବେ ବୋଲି ଇଛା ପ୍ରକାଶ କଲେ ସେତେବେଳେ ମେଣ୍ଟର ଅନେକ ନେତା ତାଙ୍କୁ ସମର୍ଥନ କଲେ । ମମତାଙ୍କୁ ଲାଲୁଯାଦବ, ଶରଦ ପାଓ୍ୟାର, ଅରବିନ୍ଦ କେଜରିଓ୍ୟାଲ, ଉଦ୍ଧବ ଠାକ୍ରେ ସମର୍ଥନ କଲେ । ଏହା କଂଗ୍ରେସ ପ୍ରତି ବଢୁଥିବା ଅବିଶ୍ୱାସର ସୂଚନା ନିଶ୍ଚୟ । ଲାଲୁ ଯାଦବ ଗାନ୍ଧୀ ପରିବାରର ଜଣେ କଠୋର ସମର୍ଥକ । ବିହାରରେ ଆଉ କିଛିଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସର ସହାୟତା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ବର୍ଷ ପଶ୍ଚିମବଂଗରେ ନିର୍ବାଚନ ହେବ ଏବଂ ମମତା ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବ । ମମତାଙ୍କୁ ଅନ୍ୟ ଆଞ୍ଚଳିକ ଦଳମାନେ ସମର୍ଥନ କରିବାର କାରଣ ହେଉଛି ସେମାନଙ୍କ ପାଇଁ ମମତା ବିପଦ ନୁହଁନ୍ତି କିନ୍ତୁ ଯେହେତୁ କଂଗ୍ରେସ ଏକ ସର୍ବ ଭାରତୀୟ ରାଷ୍ଟ୍ରୀୟ ଦଳ ତେଣୁ କଂଗ୍ରେସ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।
ବିରୋଧୀ ମେଣ୍ଟର ନେତା ଭୂମିକା ପାଇଁ କଂଗ୍ରେସ ନେତୃତ୍ୱକୁ ଉଦାର ହେବା ସହ ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ମାନସିକତା ରଖିବା ଆବଶ୍ୟକ । ଏବେ କଂଗ୍ରେସର ନେତୃତ୍ୱଙ୍କ ପାଖରେ ଏ ଦୁଇଟିଯାକ କଥା ନାହିଁ । ଆସନ୍ତା ବର୍ଷ କେରଳ, ଆସାମ, ପଶ୍ଚିମବଂଗ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ପାଇଁ ନିର୍ବାଚନ ହେବ । ଆଞ୍ଚଳିକ ଦଳ (ବିଜେପି ବିରୋଧୀ) କଂଗ୍ରେସ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି । ଯଦି ଅଲଗା ଅଲଗା ନିର୍ବାଚନ ଲଢନ୍ତି ତେବେ ବିଜେପିକୁ ଫାଇଦା ମିଳିବ । ଏବେ ଭୋଟର ମଧ୍ୟ ଭ୍ରମିତ ହେଉଛନ୍ତି ଯେ ଏମାନେ ଏକାଠି ନା ଅଲଗା? ବିରୋଧୀ ଦଳ ମାନଙ୍କ ମଧ୍ୟ ଏକତାର ଆବଶ୍ୟକତା ରହିଛି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶକ୍ତିଶାଳୀ ବିରୋଧୀଦଳ ମଧ୍ୟ ଦରକାର । ଗତ ଲୋକସଭା ନିର୍ବାଚନରେ ଏକ ମଜଭୁତ ବିପକ୍ଷ ପାଇଁ ଲୋଭେ ଭୋଟ ଦେଉଛନ୍ତି ଏବଂ ବିପକ୍ଷ କେବଳ କଂଗ୍ରେସର ଚାରିପଟେ ଏକାଠି ହୋଇ ପାରିବେ । ଏକଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ସ୍ୱୀକାର କରିଛନ୍ତି । କିନ୍ତୁ ଏଥିପାଇଁ କଂଗ୍ରେସ ନେତୃତ୍ୱକୁ ଦୂରଦର୍ଶୀ ହେବାକୁ ପଡିବ । ଏବେର ରାଜନୈତିକ ଅବସ୍ଥା ଯେଭଳି ମୋଡ଼ ନେବାକୁ ଯାଉଛି ସେଇ ପରିସ୍ଥିରେ ରାହୁଳ କ’ଣ ନେତୃତ୍ୱ ଦେଇପାରିବେ?
ରାମଚନ୍ଦ୍ରପୁର, ରଣପୁର
ମୋ୯୪୩୮୪୮୫୦୯୪