ଏଣିକି ଯୁକ୍ତ ଦୁଇ ପରେ ବିଇଡ଼ି

 ଭୁବନେଶ୍ୱର : ଯୁକ୍ତ ତିନି ପରେ ନୁହେଁ ଏଣିକି ଯୁକ୍ତ ଦୁଇ ପରେ ଛାତ୍ରଛାତ୍ରୀମାନେ ବିଇଡ଼ି କରିପାରିବେ  । ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି  । ରାଜ୍ୟରେ ରହିଥିବା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନମାନଙ୍କରେ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ ଲାଗୁ କରିବା ପାଇଁ ୮ ଗୋଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ଏମଓୟୁ ସ୍ୱାକ୍ଷର କରିଛନ୍ତି  । ଏହି ବିଏଡ଼ କଲେଜଗୁଡ଼ିକ ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି  ।
ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇସାରିବା ପରେ ଆଗାମୀ ଦିନରେ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନର ନିୟମ ଅନୁଯାୟୀ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମକୁ ଲାଗୁ କରିହେବ  । ଆଇଟିଇପି ଲାଗୁ ହେବା ଦ୍ୱାରା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନଗୁଡ଼ିକ ବହମୁଖୀ ହୋଇପାରିବେ  । 
ଏଥିସହିତ +୨ପରେ ଛାତ୍ରଛାତ୍ରୀମାନେ ୪ ବର୍ଷର ପାଠ୍ୟକ୍ରମରେ ନିଜର ବିଇଡ଼ି ଶିକ୍ଷାକୁ ସମ୍ପୂର୍ଣ୍ଣ କରିପାରିବେ  । ବିଗତ ଦିନମାନଙ୍କରେ ଛାତ୍ରଛାତ୍ରୀମାନେ +୨ ପରେ ୩ ବର୍ଷ ସ୍ନାତକ ଏବଂ ଏହା ପରେ ୨ ବର୍ଷର ବିଇଡ଼ି ପାଠ୍ୟକ୍ରମ ଅର୍ଥାତ ୫ ବର୍ଷ ପରେ ବିଇଡ଼ି ସାର୍ଟିଫିକେଟ ପାଇପାରୁଥିଲେ  । 
ଆଇଟିଇପି ଲାଗୁ ହେବା ପରେ ଛାତ୍ରଛାତ୍ରୀମାନେ ସିଧା ସଳଖ ନିଜର ସ୍ନାତକ ଓ ବିଇଡ଼ି ପାଠ୍ୟକ୍ରମକୁ ୪ ବର୍ଷ ମଧ୍ୟରେ ସମାପ୍ତ କରିପାରିବେ  । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ।
ଏଥିସହିତ ଆଜି ରାଜ୍ୟରେ ଥିବା ୧୮୯ ଗୋଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ଆର୍ଥିକ ରାଶି ଅନୁମୋଦିତ ହୋଇଛି  । ଏହି ଆର୍ଥିକ ରାଶି ଦ୍ୱାରା ମହାବିଦ୍ୟାଳୟମାନଙ୍କରେ ଅତିରିକ୍ତ ଶ୍ରେଣୀ ଗୃହ, ଲାବ୍ରୋଟୋରୀ, କ୍ୟାଣ୍ଟିନ, ପାଠାଗାର, କମନ୍ ରୁମ୍, ମଲ୍ଟି ପର୍ପସ ହଲ୍, ଏକାଡ଼େମୀକ ବିଲଡିଂ ଆଦିର ନିର୍ମାଣ, ମରାମତି, ପୁନରୁଦ୍ଧାର କାର୍ଯ୍ୟ କରାଯାଇପାରିବ  ।
ଆଜି ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଆଭାସୀ ମାଧ୍ୟମରେ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ  ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ହେଉଛି ଆମର ଲକ୍ଷ୍ୟ  । ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ  । ରାଜ୍ୟରେ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ ଲାଗୁହେବା ଦ୍ୱାରା ଛାତ୍ରଛାତ୍ରୀମାନେ +୨ ପରେ ୪ ବର୍ଷ ମଧ୍ୟରେ ନିଜର ବିଇଡ଼ି ପାଠ୍ୟକ୍ରମକୁ ସମାପ୍ତ କରିପାରିବେ ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ  । ଏଥିସହିତ ବେସରକାରୀ ମହାବିଦ୍ୟାଳୟମାନଙ୍କର ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮କୋଟି ଟଙ୍କାର ଆର୍ଥିକ ରାଶି ଅନୁମୋଦିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତବ୍ୟକ୍ତ କରିଛନ୍ତି ।