ଈଶ୍ୱରଙ୍କୁ ପାଇବା କେଉଁଠି?
ଥରେ ଶ୍ରୀଗୋପାଲ ବୋଲି ଏକ ପିଲାଟିକୁ ବିଷଧର ସର୍ପଟିଏ କାମୁଡ଼ି ଦେଲା । ତାକୁ ଅନେକ କଷ୍ଟ ହେଲା । ଡାକ୍ତରବାବୁଙ୍କ ପାଖକୁ ଯିବାରୁ ସେ ତାକୁ ଏକ ଭଲ ଉପଶମକାରୀ ମଲମ ଦେଲେ । ତାକୁ କହିଲେ ଯେଉଁ ଜାଗାରେ ସର୍ପ ଦଂଶନ କଲା ସେଠାରେ ମାଲିସ କରିଦିଅ ଦେଖିବ ତୁମର ସର୍ପଜ୍ୱାଳା ଭଲ ହୋଇଯିବ । ଶ୍ରୀଗୋପାଲ କିଛି ସମୟ ପରେ ଯନ୍ତ୍ରଣାରେ ରଡ଼ି ଛାଡ଼ିବାରୁ ଗ୍ରାମର କିଛି ଲୋକ ତାକୁ ଡାକ୍ତର ବାବୁଙ୍କ ପାଖକୁ ଟେକି ଟେକି ଆଣିଲେ । ଗାଁ ଲୋକମାନେ କହିଲେ ଶ୍ରୀଗୋପାଲ ବିଷରଜ୍ୱଳା ସହି ପାରୁନାହିଁ ତାକୁ କିଛି ଭଲ ଔଷଧ ଦିଅନ୍ତୁ । ଡାକ୍ତରବାବୁ କହିଲେ ଏଥର ମୁଁ ଏକ ଶକ୍ତିଶାଳୀ ମଲମ ଦେଉଛି । ତୁମର ଦେହ ନିଶ୍ଚୟ ଭଲ ହୋଇଯିବ । କିନ୍ତୁ ମଲମଟି ସର୍ପ ଯେଉଁଠାରେ କାମୁଡ଼ିଛି ସେଠାରେ ଲଗାଇବ । କିଛି ସମୟ ପରେ ଶ୍ରୀଗୋପାଲ ନୀଳ ପଡ଼ିଗଲା । ତାର ବାପା ମା ବନ୍ଧୁବାନ୍ଧବ ବ୍ୟସ୍ତ ହୋଇ ଡାକ୍ତର ବାବୁ ଏ କ'ଣ କଲ ଔଷଧ କାମ କରୁନାହିଁ, ପିଲାଟି ମରିବାକୁ ଯାଉଛି କିଛି କରନ୍ତୁ ବୋଲି ଅନୁରୋଧ କଲେ । ଡାକ୍ତର ବାବୁ କହିଲେ ଶ୍ରୀଗୋପାଲ ତ ଭଲ ହୋଇଯିବା କଥା ସେ ତାକୁ ପଚାରିଲେ ସେ ମଲମ କେଉଁଠାରେ ଲଗାଇଲା । ସେ କହିଲେ ଗୋଟିଏ ଚାଳଘର ନିକଟରେ କାନ୍ଥ ଫାଙ୍କରୁ ବାହାରି ସାପଟି ମତେ କାମୁଡ଼ି ଥିଲା । ମୁଁ ସେହି କାନ୍ଥରେ ଆପଣ ଦେଇଥିବା ମଲମକୁ ସୁନ୍ଦର ଭାବେ ଲଗାଇଛି । ଡାକ୍ତର ବାବୁ କ'ଣ କରିବେ ବା କହିବେ କେବଳ ବଲ ବଲ ହୋଇ ତା ମୁହଁକୁ ଚାହିଁ ରହିଲେ ।
ମଣିଷ ସମାଜରେ ଏହିପରି କେତେକ ଲୋକ ଅଛନ୍ତି । ଯେଉଁମାନେ କି ବହୁ ଶାସ୍ତ୍ର ପଢ଼ିଛନ୍ତି । ଯୁଗ ପୁରୁଷଙ୍କର ବାଣୀ ପଢ଼ନ୍ତି । ଭଗବାନ ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ ଏ କଥା କୁହନ୍ତି । କିନ୍ତୁ ତାଙ୍କୁ ହୃଦୟଙ୍ଗମ କରିପାରନ୍ତି ନାହିଁ । କାରଣ ସେମାନେ ଭଗବାନଙ୍କୁ ବାହାରେ ଖୋଜନ୍ତି । ମନ୍ଦିର ମସଜିଦ ଗୀର୍ଜା ଓ ଗୁୁରୁଦ୍ୱାର ଯାଇ ପୂଜାର୍ଚ୍ଚନା କରନ୍ତି । ସେହିପରି ବିଭ୍ରାନ୍ତବାବୁ ବୋଲି ଜଣେ ଲୋକ ଥିଲେ ସେ ଭାରି ତରବରିଆ ତେଣୁ ତାଙ୍କର ସବୁବେଳେ ଜିନିଷ ପତ୍ର ହଜିଯାଏ । ସେ ତାକୁ ପାଇବା ପାଇଁ ବ୍ୟସ୍ତ ହୋଇ ଏଣେ ତେଣେ ଖୋଜନ୍ତି । ଦିନେ ସେ ଅଫିସ ବାହାରିବା ବେଳକୁ ପକେଟରେ ମାରିଥିବା କଲମଟିକୁ ଖୋଜିବାକୁ ଲାଗିଲେ । ତାଙ୍କ ଝିଅ ଅନନ୍ୟା କହିଲା ବାପା କ'ଣ ଖୋଜୁଛ? ସେ କହିଲେ ମୋର କଲମଟି ହଜିଯାଇଛି । ଅନନ୍ୟା ହସି ହସି କହିଲା ବାପା ତୁମେ ପକେଟରେ ରଖିଛ । ଏହିପରି କିଛି ଲୋକ ଥାଆନ୍ତି ଯେଉଁମାନେ କି ନିଜ ଭିତରେ ଭଗବାନ ଥିଲେ ମଧ୍ୟ ବାହାରେ ଖୋଜିବାକୁ ଯାଇ ଶ୍ରୀମନ୍ଦିର, କେଦାରନାଥ, ବଦ୍ରିନାଥ, ରାମେଶ୍ୱର ପ୍ରଭୃତିକୁ ଭିଡ଼ ଭିତରେ ଯାଇ ମରନ୍ତି ଓ ଦୀପ ଜାଳି ପବିତ୍ର ନଦୀରେ ସ୍ନାନ କରି ଫୁଲପତ୍ର ମହମବତି, କଦଳୀ ଚୋପା ପକାଇ ତାର ପବିତ୍ର ଜଳକୁ ପ୍ରଦୂଷିତ କରନ୍ତି ।
ଥରେ ଗୋଟିଏ ବୁଢ଼ୀଟିଏ ଥିଲା ସେ ବିଜୁଳବତି ତଳେ କଣ ଗୋଟିଏ ଖୋଜୁଥିଲା । ନନ୍ଦଗୋପାଲ ବୋଲି ଏକ ପିଲା ପଚାରିଲା ଆଇ କଣ ଖୋଜୁଛୁ । ବୁଢ଼ୀଟିଏ କହିଲା "ବାପାରେ ମୋ କାନଫୁଲଟି କେଉଁଠି ହଜିଯାଇଛି । ପିଲାଟି କହିଲା କେଉଁଠାରେ ପକାଇଲ ବୋଲି ଜାଣିଲ । ବୁଢ଼ୀ କହିଲା ରୋଷେଇ କଲାବେଳେ ରୋଷେଇ ଘରେ ପଡ଼ିଗଲା । ପିଲାଟି କହିଲା ତେବେ ଏଠି କାହିଁକି ଖୋଜୁଛ? ବୁଢ଼ୀଟି କହିଲା ଆରେ ପୁଅ ରୋଷେଇ ଘରେ ଆଲୁଅ ନାହିଁ ଖୋଜିବି କେଉଁଠୁ?'
କେତେକ ଲୋକ ଅଛନ୍ତି ସେମାନେ ଭାବନ୍ତି ପୃଥିବୀର ଅଣୁ ପରମାଣୁରେ ଭଗବାନ ବିଦ୍ୟମାନ । ସେମାନେ ଏହା ମଧ୍ୟ ଶୁଣିଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା । ବ୍ରହ୍ମ ମଣିଷ ଭିତରେ ବିଦ୍ୟମାନ ଏକଥା ଭୁଲି ଯାଇ ନିଜର ମୁଣ୍ଡଟିକୁ ଗୋଟିଏ ସ୍ଥାନରେ ବିକ୍ରି ହେଉଥିବା ବ୍ୟବସାୟିକ କେନ୍ଦ୍ର ମଲରେ ଭଗବାନଙ୍କୁ ଖୋଜନ୍ତି । ଆଉ ଦଳେ ଲୋକ ଅଛନ୍ତି ଗୀତା, କୋରାନ, ବାଇବେଲ ଭଗବତ ପ୍ରଭୃତି ଯଦି ଗୁଡ଼ାଏ ଜ୍ଞାନ ଆହରଣ କରିଛନ୍ତି ତୁମେ ଏସବୁ ପଢ଼ି ଭଲ ପ୍ରବଚକ ହୋଇପାର । ବିଦ୍ବତ୍ତା ସହିତ ଧର୍ମର କୌଣସି ସମ୍ପର୍କ ନାହିଁ । ପୁସ୍ତକରେ, ଧର୍ମ ଓ ଧାର୍ମିକ ମନୁଷ୍ୟ ବିଷୟରେ ଲେଖାଯାଇଛି । ଗୀତାରେ ଅର୍ଜ୍ଜୁନଙ୍କୁ କିଛି ଉପଦେଶ ଦିଆଯାଇଛି କିନ୍ତୁ ପ୍ରତ୍ୟେକ ମନୁଷ୍ୟକୁ ସେ ନିଜ ଭିତରେ କିପରି ଭଗବାନଙ୍କୁ ପାଇବ ତାର ଗୀତା ତାକୁ ନିଜକୁ ଲେଖିବାକୁ ପଡ଼ିବ । ପର୍ବପର୍ବାଣି ପାଳନ କଲେ ଜଣେ ଧାର୍ମିକ ହୋଇଯାଇ ନାହିଁ । ବିଦ୍ବତ୍ତା ଦ୍ୱାରା ସମାଜରେ ସମ୍ମାନ ପାଇହୁଏ ଧାର୍ମିକ ଗୁରୁ ଭାବେ ଧର୍ମ ଅନୁଷ୍ଠାନରେ ଜଣେ ସ୍ଥାପିତ କରିପାରେ ଏସବୁ ନିର୍ବାଚନରେ ଜିତି ମନ୍ତ୍ରୀ ପଦ ପାଇବା ପରି । ତେଣୁ ଆମେ କାମନା ବାସନା ଶୂନ୍ୟ ହେବା ଉଚିତ ଓ ଭିତରେ ଥିବା ବ୍ରହ୍ମ ବା ଭଗବାନଙ୍କୁ ଚିହ୍ନିବାକୁ ଚେଷ୍ଟା କରିବା ଉଚିତ ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬