ନାଟକର ନାମ ଅବସାଦ

ବିଭୁପ୍ରସାଦ ନାଥ ଟକର ନାମ ଅବସାଦ । ସ୍ଥାନ ମର୍ତ୍ତ୍ୟପୁର ଏବଂ ସମୟ ଠିକ ବୟସର ଅପରାହ୍ନ । ନିଦେ୍ର୍ଦଶକ ସ୍ୱୟଂମୋହ, ମାୟା, ଗର୍ବ ଓ ଅହଙ୍କାର । ମଣିଷ ଜୀବନର ଚାକଚକ୍ୟ ଓ ଉଚ୍ଚାଭିଳାଷରେ ନିଜକୁ ଏତେ ଲିପ୍ତ ରଖେ ଯେ ସେ ନିଜର ପରିଧି ଓ ପରିସୀମାକୁ ଆକଳନ କରିପାରିନଥାଏ । ଏ ଦୁନିଆରେ ଅନେକ ମାର୍ଗଦର୍ଶକ ଅଛନ୍ତି କିନ୍ତୁ ଜୀବନ ଅନୁଶୀଳନ ଓ ବ୍ୟକ୍ତିତ୍ୱ ପରୀକ୍ଷଣରେ ଅଧିକାଂଶ ବିଫଳ । ଜୀବନର ସଂଜ୍ଞାକୁ କିଏ କିଭଳି ଭାବରେ ଉପସ୍ଥାପନ କରେ ମୁଁ ଜାଣେନା କିନ୍ତୁ ମୁଁ ଏତିକି ଜାଣେ ପରିସ୍ଥିତିର ଆଳରେ ଜୀବନର ସଂଜ୍ଞା ଜନ୍ମ ନେଇଥାଏ । ଯାହା ଜୀବନରେ ସିଂହଭାଗ ସୁଖ, ସେ କହିବ ଜୀବନ ଏତେ ବି ସଂଘର୍ଷମୟ ନୁହେଁ । ଯାହା ଜୀବନରେ ଅନେକ ଦୁଃଖ, ସେ କହିବ ଜୀବନ ଜୀଇଁବା ଖୁବ କଷ୍ଟସାଧ୍ୟ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଜୀବନର ଅନୁଭୂତି ହିଁ ଜୀବନ ଜୀଇଁବାର କୌଶଳକୁ ଜନ୍ମଦିଏ । କାହାର ଦିଗ୍ ଦର୍ଶନରେ ଯେ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିହେବ ତାହା ଭାବିବା ଭୁଲ୍ । ଯଦି ଜୀବନ ମୋର, ତେବେ ମୋ ଜୀବନର ପରିଧି, ସାମର୍ଥ ସମ୍ପର୍କରେ ମୋଠାରୁ ଅଧିକ କେହିବି ଜାଣିପାରିବେ ନାହିଁ । ତେଣୁ ମୋ ଜୀବନରେ ଉଚ୍ଚ ଆଶା ଓ କାମନା ମୋ ସାମର୍ଥ୍ୟ ମଧ୍ୟରେ ରହିବା ଆବଶ୍ୟକ ।
ଯଦି ଆମେ ସମସ୍ତେ ଜାଣିଛେ ଯେ ଜଣେ ମଣିଷ ଅନ୍ୟ ଏକ ମଣିଷଠାରୁ ସମ୍ପୂର୍ଣ୍ଣ ଭିନ୍ନ ତେବେ ସମାନ ଲକ୍ଷ୍ୟକୁ ଦୁଇଜଣଙ୍କୁ ପ୍ରଦାନ କରିବା କାହିଁକି? ସାଧାରଣତଃ ଆମେ ସମସ୍ତେ ଏକ ପ୍ରକାର ପଦ ଓ ପଦବୀକୁ ଅଧିକ ପ୍ରାଧାନ୍ୟ ଦେଇଥାଉ । ଯେଉଁଭଳି ପିଲା ଭଲ ପଢ଼ିଲେ ବିଜ୍ଞାନ ପଢ଼ାଇ ଡାକ୍ତର କି ଇଂଜିନିୟର କରିବା, ତାଠାରୁ ଟିକେ କମ୍ ସ୍ତରରେ ଥିଲେ ବାଣିଜ୍ୟ ପଢେଇ ଚାଟାର୍ଡ ଆକାଉଣ୍ଟାଣ୍ଟ କରିବା, ତା ଠାରୁ କମ୍ ସ୍ତରରେ ଥିଲେ କଳା ବିଭାଗରେ ପଢେଇ ଆଇଏସ କି ଓଏସ୍ ଟିଏ କରେଇ ଦେବା । ଆଜ୍ଞା ଏସବୁ ଛାଡିଲେ କଣ ଆଉ କିଛି ବି ପଦପଦବୀରେ ଆମେ ଆମ ପିଲାକୁ ରୋଜଗାରକ୍ଷମ କରେଇ ପାରିବା ନାହିଁ? ଆମେ ସମସ୍ତେ ଅବିଭାବକ ନାମରେ ଆଜି କଳଙ୍କ ପାଲଟି ସାରିଛନ୍ତି । ପିଲାଟିର ଲାଳନ ପାଳନ କରୁଛେ ସତ କିନ୍ତୁ ପିଲାର ଆଚାର ବ୍ୟବହାରରୁ ଆମେ କେବେ ହେଲେ ସେମାନଙ୍କର ସାମର୍ଥ୍ୟ ମାପିବା ନିମନ୍ତେ ଚେଷ୍ଟା କରିନାହାଁନ୍ତି । ବିଦ୍ୟାର୍ଥୀ ଜୀବନରେ ଅବସାଦ ଜୀବନ ନାଟକର ପ୍ରଥମ ଦୃଶ୍ୟ । ଏଥିରେ କିଏ ନାୟକ କିଏ ଖଳନାୟକ ସ୍ପଷ୍ଟ ବାରି ହେଉଥିଲେ ମଧ୍ୟ ନିଷ୍କର୍ଷ ଶୂନ୍ୟ । ଆମେ ସମସ୍ତେ ଜୀବନର ଗଭୀରତାକୁ ନବୁଝି କେବଳ କେତୋଟି ବଛା ବଛା ବିଷୟର ଜ୍ଞାତା ପାଲଟିସାରିଛେ । ଜୀବନରେ ବୃତ୍ତି ବାହାରେ ବି ଏକ ଦୁନିଆ ରହିଛି ସେ ସମ୍ପର୍କରେ ଆମେ ଖୁବ କମ୍ ଚିନ୍ତା କରିଥାନ୍ତି । ଜୀବନରେ ବୃତ୍ତି ତାହା ହେବା ଦରକାର ଯେଉଁ ଦିଗରେ ଆମର ସର୍ବାଧିକ ରୁଚି ରହିଛି । ସେ ରୁଚିର ପରୀକ୍ଷଣ କେବଳ ଶିକ୍ଷକ ହିଁ କରିପାରନ୍ତି । କିନ୍ତୁ ଆମେ ଅବିଭାବକ ସେଭଳି ମହାନୁଭବଙ୍କ ଠାରୁ ଅନେକ ଦୂରରେ । ଆମେ ଆଜି ଶିକ୍ଷାକୁ ବାଣିଜ୍ୟର ଏକ ସ୍ରୋତ ଭାବରେ ବିବେଚନା କରିସାରିଛେ । କିନ୍ତୁ ଗୁରୁଙ୍କ ଭୂମିକା ଓ ମହତ୍ତ୍ୱ ଆଜି ମଧ୍ୟ ପୂର୍ବ ପରି ଅବସ୍ଥାପିତ ହୋଇରହିଛି ।
ଜୀବନ ନାଟକର ଦ୍ୱିତୀୟ ଦୃଶ୍ୟ ବୃତ୍ତିଗତ ଜୀବନର ଆରମ୍ଭରେ ହୋଇଥାଏ । ଯେତେବେଳେ ଆମେ ଅନ୍ୟର ଆଶାକୁ ସାକାର କରିବାକୁ ଯାଇ ନିଜର ବୃତ୍ତିକୁ ବାଛିଥାଉ ସେତେବେଳେ ବୃତ୍ତିକୁ ଉପଭୋଗ କରିବାର ପିପାସା କମି ଯାଇଥାଏ । ଏହା ପରେ ସେପରି ବେଶ ସହ ଖାପ ଖାଇବା ପାଇଁ ଆମେ ସଂଘର୍ଷ କରିଥାଉ ଏବଂ ବୃତ୍ତିଗତ ଜୀବନରେ ସଫଳତା ନମିଳିଲେ ଆମେ ଶେଷରେ ଅବସାଦଗ୍ରସ୍ତ ହୋଇଯାଉ ।
ବୃତ୍ତିଗତ ଜୀବନର ମଧ୍ୟଭାଗରେ ଦାମ୍ପତ୍ୟ ଜୀବନର ଅବସାଦ ଆମକୁ ବେଳେବେଳେ କଷ୍ଟଦେଇଥାଏ । ତେଣୁ ନାଟକର ତୃତୀୟ ଦୃଶ୍ୟ ଦାମ୍ପତ୍ୟ ଅବସାଦ । ଆଜିର ଯୁବପିଢି ଦାମ୍ପତ୍ୟ ଜୀବନର ଅବସାଦ ଭିତରେ ବଞ୍ଚୁଥିବା ଦେଖିବାକୁ ମିଳେ । ଏହାର କାରଣ ହେଉଛି ଉଚିତ ଜୀବନସାଥୀର ଅଭାବ ଓ ବୁଝାମଣାର ଅଭାବ । ତେଣୁ ବୃତ୍ତିଗତ ଜୀବନରେ ଆପଣ ଯେତେ ସଫଳ ଥିଲେ ମଧ୍ୟ ଯଦି ଦାମ୍ପତ୍ୟ ସୁଖର ଅଭାବ ରହିଛି ସେଠି ସବୁ କିଛି ଫିକା । ପରିବାରରେ ସନ୍ତୁଳନ ବଜାୟ ରଖିବାକୁ ହେଲେ ଉଚିତ ବୁଝାମଣା ଆବଶ୍ୟକ । ତେଣୁ ଦାମ୍ପତ୍ୟ ଜୀବନର ମହତ୍ତ୍ୱ ମଣିଷ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଯେଉଁ ପିଲାମାନେ ଯେତେ ସଫଳ ସେମାନଙ୍କର ଅବିଭାବକମାନଙ୍କୁ ସମାଜରେ ସେତେ ଅଧିକ ସମ୍ମାନ ମିଳିଥାଏ । ଅବିଭାବକ ଜୀବନରେ ଅବସାଦ ମଧ୍ୟ ନାଟକର ଚତୁର୍ଥ ଦୃଶ୍ୟ । ପ୍ରତ୍ୟେକ ଅବିଭାବକ ନିଜ ପିଲାମାନଙ୍କୁ ନିଜ ଇଚ୍ଛାରେ ସଫଳ ଦେଖିବାକୁ ଚାହାଁନ୍ତି, ଯେଉଁଠି ଜନ୍ମ ନିଏ ଅବସାଦ । ପିଲାର ସାମର୍ଥ୍ୟ ଓ ରୁଚିକୁ ନ ବୁଝି ନିଜର ଆଶାକୁ ପିଲା ଉପରେ ଲଦିଦେବା ଅଧିକାଂଶ ଅବିଭାବକଙ୍କ ପ୍ରକୃତି  । ତେଣୁ ଅବସାଦର ଗନ୍ତାଘରକୁ ମଧ୍ୟ ନିଜର ଜୀବନ ନାଟକରେ ସ୍ଥାନ ଦେବା ଆଜିର ସମୟରେ ସ୍ୱାଭାବିକ ହୋଇପଡିଛି । ଏହାପରେ ଆସେ ଅବସରଗ୍ରହଣ ପରର ଅବସାଦ । ପିଲାମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ, ପିଲାମାନେ ବାହାରେ ଚାକିରି କରୁଛନ୍ତି । ଘରେ କେବଳ ବୃଦ୍ଧ ବାପାମା । କେହି ଆହା ପଦେ କହିବାକୁ ନାହାଁନ୍ତି । କିଛି ବର୍ଷ ପୂର୍ବେ ଯେଉଁ ପିଲାମାନଙ୍କୁ ସଫଳ ଦେଖିବାର ଆଶାରେ ଏତେ ଅବସାଦରେ ଥିଲେ,ସେମାନେ ଆଜି ସଫଳ ତଥାପି ଆପଣଙ୍କ ଜୀବନ ଅବସାଦରେ ।
ଜୀବନର ରଙ୍ଗୀନ ରଙ୍ଗମଞ୍ଚରେ କିଏ ନାୟକ କିଏ ଖଳନାୟକ, ତ କିଏ ଚରିତ୍ର ଅଭିନେତା ତଥାପି ଅବସାଦର ମାତ୍ରା ସମସ୍ତଙ୍କ ପାଇଁ ସମାନ । ଜୀବନ ନାଟକର ନାମ ସତରେ ଅବସାଦ, ସ୍ଥାନ ମର୍ତ୍ତ୍ୟପୁର ଓ ସମୟ ବୟସର ଅପରାହ୍ନ । କିଏ ଅବସାଦର ପ୍ରଭାବକୁ ସମ୍ଭାଳିପାରେ ତ କିଏ ସମ୍ଭାଳିପାରେ ନାହିଁ । କିନ୍ତୁ ଜାଣିରଖନ୍ତୁ“ଅବସାଦ”ମୋହ ଓ ଆଭିଜାତ୍ୟ ପ୍ରଦର୍ଶନର ଏକ ନକାରାତ୍ମକ ଉପହାର । ଯାହାକୁ ଆମେ ସମସ୍ତେ ଗ୍ରହଣ କରିସାରିଛେ । ଆସନ୍ତୁ ଟିକେଟ ବିକ୍ରି ଚାଲିଛି ସ୍ଥାନ ମର୍ତ୍ତ୍ୟପୁର ସମୟ ବୟସର ଅପରାହ୍ନ ଓ ନାଟକର ନାମ ଅବସାଦ । ଖୁବ୍ ଶୀଘ୍ର ଟିକେଟ ନେଇଯାଆନ୍ତୁ । ଯଦି ଏହି ନାଟକରେ ରୁଚି ନଥାଏ ତେବେ ସାମର୍ଥ୍ୟବିହୀନ ଆଶାକୁ ପରିତ୍ୟାଗ କରି ବର୍ତ୍ତମାନ ଓ ନିକଟ ଭବିଷ୍ୟତରେ ହିଁ ନିଜ ଭାବନାକୁ ସୀମିତ ରଖନ୍ତୁ ।
କେନ୍ଦ୍ରାପଡା
 ମୋ: ୭୮୫୫୯୭୯୬୨୦