ବିଜ୍ଞାପନରେ ବିଭ୍ରାନ୍ତି
ଏବେ ନିକଟରେ କଟକର ଏକ ଆର୍ୟୁବେଦ ଔଷଧ କମ୍ପାନୀ ସମ୍ବାଦପତ୍ର ଗୁଡିକରେ ଦେଇଥିବା ବିଜ୍ଞାପନକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଆର୍ୟୁବେଦୀୟ ଔଷଧ ଖାଇବା ମାତ୍ରକେ ତାହା ତତ୍କ୍ଷଣାତ୍ କାମ ଦେବ ବୋଲି ବିଜ୍ଞାପନରେ ଲେଖାଯାଇଥିଲା । ଅନ୍ୟପକ୍ଷରେ ଚିକିତ୍ସାଶାସ୍ତ୍ର ତଥା ଆର୍ୟୁବେଦରେ କୌଣସି ଔଷଧ ଖାଇବା ମାତ୍ରକେ କାମ ଦେବ ବୋଲି ଦେଇଥିବା ବିଜ୍ଞାପନ ବିଭ୍ରାନ୍ତିକର ଓ ଏ ପ୍ରକାରର କୌଣସି ଔଷଧ ନାହିଁ ବୋଲି ଜଣେ ଡ଼ାକ୍ତର ଅଭିଯୋଗ କରିଛନ୍ତି । ଆମ ଦେଶରେ ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍ ରିମେଡ଼ିସ୍ ଅବ୍ଜେକ୍ସନେବୁଲ୍ ଆକ୍ଟ-୧୯୫୪ ଆଧାରରେ କୌଣସି ପ୍ରକାର ଔଷଧର ବିଜ୍ଞାପନ ଦେବା ସମୟରେ ତାହା ତତ୍କ୍ଷଣାତ୍ କାମ କରେ ବୋଲି ଦର୍ଶାଇବା ଭଳି ବିଜ୍ଞାପନ ଗୁଡ଼ିକ ଅପରାଧରେ ପରିଗଣିତ ହୁଏ । ଏ ପ୍ରକାରର ବିଜ୍ଞାପନ କେହି ଦେଇପାରିବେ ନାହିଁ ଏବଂ ବିଜ୍ଞାପନର ନିୟମ ଦୃଷ୍ଟିରୁ ଅନେକ ପ୍ରକାରର ମିଛ ପ୍ରତିଶ୍ରୁତି କିମ୍ବା କୌଣସି ଘଟଣାକୁ ଅତି ରଞ୍ଜିତ କରି ପ୍ରଦର୍ଶନ କରାଯାଇପାରିବ ନାହିଁ । ଏଭଳି ବିଜ୍ଞାପନ ଦେଲେ ବିଜ୍ଞାପନଦାତାଙ୍କ ବିରୁଦ୍ଧରେ କଠୋର ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ବର୍ତ୍ତମାନ ସମୟରେ ବହୁ ଅନାମଧ୍ୟେୟ ସମ୍ବାଦପତ୍ର ଗୁଡ଼ିକରେ କ୍ଲାସିଫାଏଡ୍ ବିଜ୍ଞାପନ ନାଁରେ ଅନେକ ପ୍ରକାରର ଅବାନ୍ତର ବିଜ୍ଞାପନ ଦେଖିବାକୁ ମିଳେ । ଚନ୍ଦା ମୁଣ୍ଡରେ କେଶ ଉଠିବା ଠାରୁ ଆରମ୍ଭ କରି ଯୌନ ଶକ୍ତିର ବୃଦ୍ଧି ଭଳି ବିଭିନ୍ନ ବିଜ୍ଞାପନ ସମ୍ବାଦପତ୍ର ଗୁଡ଼ିକରେ ଦିଆଯାଉଛି । ଏସବୁ ବିଜ୍ଞାପନ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନିରାଧାର, ବିଭ୍ରାନ୍ତିକର ଏବଂ ଅନୈତିକ ମଧ୍ୟ । ଏ ପ୍ରକାରର ବିଜ୍ଞାପନ ଗୁଡିକୁ ବିରୋଧ ନକରିଲେ ଲୋକେ ଠକାମୀର ଶିକାର ହେବାଟା ନିଶ୍ଚିତ । ଲୋକମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଗଣମାଧ୍ୟମ ଗୁଡ଼ିକ ବିଭ୍ରା"ିକର ବୋଲି ଜାଣୁଥିବା ବିଜ୍ଞାପନ ଗୁଡ଼ିକ ପ୍ରକାଶ କରିବା ପାଇଁ ମନା କରିଦେବା ଉଚିତ୍ । ହେଲେ ବିଜ୍ଞାପନ ଗଣମାଧ୍ୟମ ଗୁଡ଼ିକର ରୋଜଗାରର ଉତ୍ସ ହୋଇଥିବାରୁ ଏହାକୁ ମନା କରିବାଟା ପ୍ରାୟତଃ ଅସମ୍ଭବ ହୋଇଥିଲେ ସୁଦ୍ଧା ଲୋକଙ୍କର ସ୍ୱାର୍ଥ ଦୃଷ୍ଟିରୁ କିଛି ସତର୍କତାମୂଳକ ଉପଦେଶ ଦେବା ଆବଶ୍ୟକ । ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ, ଚନ୍ଦା ମୁଣ୍ଡ, ଯୌନ କ୍ଷମତା କମିବା, ପୁରୁଣା ରୋଗର ଚିକିତ୍ସା ଆଦି କ୍ଷେତ୍ରରେ ଅନେକ ପ୍ରକାରର ବିଭ୍ରା"ିକର ବିଜ୍ଞାପନ ଦେଖିବାକୁ ମିଳୁଛି । ଅଳ୍ପ କେତେବର୍ଷ ତଳେ ଶ୍ୱାସରୋଗୀମାନଙ୍କୁ ମାଛ ଗିଳାଇବା ଭଳି ଅବା"ର ପଦ୍ଧତିରେ ଚେଷ୍ଟା କରି ସଫଳତା ହାସଲ କରାଯାଉଥିବା ସମ୍ପର୍କିତ ବିଜ୍ଞାପନ ଦିଆଯାଉଥିଲା । ଏହି ବିଜ୍ଞାପନ ବିରୁଦ୍ଧରେ ମଧ୍ୟ ସେତେବେଳେ ଲୋକେ ସ୍ୱର ଉତ୍ତୋଳନ କରିଥିଲେ । ଏହା ଫଳରେ ଏ ପ୍ରକାରର ବିଜ୍ଞାପନ ବନ୍ଦ ହୋଇଗଲା ।
ଆମ ଦେଶରେ ଲୋକମାନଙ୍କର ବିଭିନ୍ନ ପ୍ରାଚୀନ ଚିକିତ୍ସା ପଦ୍ଧତି ଉପରେ ଅଗାଧ ବିଶ୍ୱାସ ରହିଛି । ତେଣୁ ଆର୍ୟୁବେଦିକ୍ ଔଷଧ ନାମରେ ଯାହା କିଛି ବିଜ୍ଞାପନ ଦିଆଗଲେ ବି ଲୋକମାନେ ସେସବୁକୁ ବିଶ୍ୱାସ କରିଯାଆନ୍ତି । ଏ ପ୍ରକାରର ଯେକୌଣସି ବିଜ୍ଞାପନକୁ ଦେଖିବା ମାତ୍ରକେ ଲୋକମାନେ ମଧ୍ୟ ସତର୍କ ହେବା ଆବଶ୍ୟକ । କେବଳ ବିଜ୍ଞାପନରୁ ଦେଖି ଦେଲେ ଯେ ଔଷଧ ନିର୍ଭରଯୋଗ୍ୟ ତାହା ଭାବିବା ଭୁଲ୍ । ଅଧିକାଂଶ ରାଜ୍ୟ ସରକାର ଔଷଧ ଗୁଡ଼ିକର ବିଜ୍ଞାପନ ସମ୍ପର୍କରେ ଅନେକ ପ୍ରକାରର ଆଇନ୍ ପ୍ରଣୟନ କରିଛନ୍ତି । ସେଥିପ୍ରତି ସତର୍କ ରହି ଯେକୌଣସି ବିଜ୍ଞାପନକୁ ବିଶ୍ୱାସ କରିବା ସର୍ବଦା ଅନୁଚିତ୍ । ବିଜ୍ଞାପନ ଗୁଡ଼ିକ ଅଧିକାଂଶ ମାତ୍ରାରେ ଜନତାଙ୍କୁ ପ୍ରଭାବିତ କରିଥାଏ । ଏହା ମୁଖ୍ୟତଃ ଦୁଇଟି ଜିନିଷକୁ ଭିତ୍ତି କରି ହୋଇଥାଏ । ତାହା ହେଲା ଲୋକଙ୍କ ଆବଶ୍ୟକତା ଏବଂ ଏହି ଆବଶ୍ୟକତାରୁ ରୋଜଗାର ସୃଷ୍ଟି କରିବାର ଉପାୟ । ହେଲେ ଏହା ଉପଯୁକ୍ତ ସେବାକୁ ବାଦ ଦେଇ ଦେଲେ ତାହା ଠକାମୀର ରୂପ ନେଇଯାଏ । ତେଣୁ ପ୍ରଥମେ ଜନସାଧାରଣ ସଚେତନ ହେଲେ ସମସ୍ୟାରେ ଅନେକଟା ସୁଧାର ଆସିବା ସୁନିଶ୍ଚିତ । ସଚେତନ ହେଲେ କୌଣସି ବିଜ୍ଞାପନ ବିଭ୍ରାନ୍ତି ଆଣିଦେବ ନାହିଁ ।