ଜଙ୍ଗଲ ସୁରକ୍ଷାରେ ୧୩୯ ଅତ୍ୟାଧୁନିକ ଯାନ ସାମିଲ

ଭୁବନେଶ୍ୱର: ଆହୁରି ଅଧିକ ସୁଦୃଢ଼ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ। ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍‌-ଟେରେନ୍‌ ଭେହିକିଲ୍‌ (ଏଟିଭି), ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ସହ ୧୩୯ ଅତ୍ୟାଧୁନିକ ଯାନକୁ ସାମିଲ କରିଛି ଜଙ୍ଗଲ ବିଭାଗ। ଶୁକ୍ରବାର ବଟାନିକାଲ୍‌ ଗାର୍ଡେନ୍‌ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏସବୁ ଯାନକୁ ରାଜ୍ୟର ୧୮ଟି ଜିଲାରେ ଥିବା ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ଟି ସଂରକ୍ଷିତ ଅଞ୍ଚଳକୁ ପ୍ରଦାନ କରିଛନ୍ତି। ଏହି ଯାନ ମଧ୍ୟରେ ରହିଛି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୫୧ଟି ଅଲ-ଟେରେନ ମୋଟରଯାନ। ଜଙ୍ଗଲର ପ୍ରତି ସ୍ଥାନକୁ ଏହି ଅତ୍ୟାଧୁନିକ ଯାନ ସହଜରେ ଯାଇପାରିବ। ବାଲି, ମାଟି, କାଦୁଅ, ପଥର ଉପରେ ଚଢ଼ି ଯେକୌଣସି ପରିସ୍ଥିତିରେ ଜଙ୍ଗଲ ଭିତରକୁ ଯାଇ ପାଟ୍ରୋଲିଂ କରିବାରେ ସକ୍ଷମ ହେବ। ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଏହା ପ୍ରାକୃତିକ ବିପଦକୁ କମ୍‌ କରିବା ସହ ଗୁପ୍ତ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ। ସେହିପରି କଷ୍ଟୋମାଇଜ୍‌ଡ ସ୍ପ୍ରିଙ୍କଲର୍‌ ସିଷ୍ଟମ ସହିତ ୪୧ ଅଗ୍ନି ନିର୍ବାପକ ୟୁନିଟ୍‌ ଓ ୪୭ ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ଜଙ୍ଗଲ କ୍ଷେତ୍ର ବିଭାଗକୁ ପ୍ରଦାନ କରାଯାଇଛି। ସଡ଼କ ପାର୍ଶ୍ୱରେ ଘଟୁଥିବା ଅଗ୍ନିକାଣ୍ଡ ରୋକିବାକୁ ଦୃଷ୍ଟିରେ ରଖି ସ୍ପ୍ରିଙ୍କଲରକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବା ସହ ଏଥିଜନିତ କ୍ଷୟକ୍ଷତିକୁ କମ୍‌ କରିବା ପାଇଁ ବିଶେଷ ଭାବରେ ଡିଜାଇନ କରାଯାଇଛି। ଏନେଇ ପିସିସିଏଫ୍‌ ନନ୍ଦ କହିଛନ୍ତି, ଜଙ୍ଗଲ ସୁରକ୍ଷା ଅଭିଯାନରେ ୩ ପ୍ରକାର ଗାଡ଼ି ସାମିଲ କରାଯାଇଛି। ସବୁଥିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଜଙ୍ଗଲର କୋଣଅନୁକୋଣରେ ଏହା ପହଞ୍ଚତ୍ପାରିବ। ପଶୁ ଶିକାର ଓ କାଠ ଚୋରାଚାଲାଣ ଉପରେ ନଜର ରଖିହେବ। ସେହିପରି ଜଙ୍ଗଲରେ ହଠାତ୍‌ ନିଅଁା ଲାଗିଲେ ଏହା ସେଠାରେ ପହଞ୍ଚତ୍ ନିଅଁା ଲିଭାଇପାରିବ। ଫଳରେ ବହୁମାତ୍ରାରେ ଜଙ୍ଗଲ ଏବଂ ଏଠାରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ନିଅଁା କବଳରୁ ରକ୍ଷା କରିହେବ ବୋଲି ସେ କହିଛନ୍ତି। ଟାଟା ମୋଟର୍ସ ଏବଂ ମହିନ୍ଦ୍ରା କମ୍ପାନୀର ବରିଷ୍ଠ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଯାନ ବିତରଣ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ନିର୍ଦ୍ଦେଶକ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପ-ବନ ସଂରକ୍ଷକ ସମ୍ୟକ ସାମନ୍ତରାୟଙ୍କ ସମେତ ରେଞ୍ଜରମାନେ ଉପସ୍ଥିତ ଥିଲେ।