ଶ୍ରୀମନ୍ଦିରରେ ମା’ ବିମଳାଙ୍କ ମହତ୍ତ୍ୱ
ଅନନ୍ତ ବର୍ମ ଚୋଡ଼ଗଙ୍ଗଙ୍କ ଦ୍ୱାରା ଶ୍ରୀମନ୍ଦିରରେ ମା’ ବିମଳାଙ୍କ ମନ୍ଦିରର ମୁଖ୍ୟ ବିମାନ ଓ ମୁଖଶାଳା ନିର୍ମାଣ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗି ହେବା ପରେ ମା’ଙ୍କ ନିକଟରେ ତାହାକୁ ସମର୍ପଣ କରାଯାଇଥାଏ । ତାହାପରେ ହିଁ ପ୍ରସାଦ ମହାପ୍ରସାଦରେ ପରିଣତ ହୋଇଥାଏ । ବଳଭଦ୍ରଙ୍କର ପଦକ ଓ ଅଧର ଆଦି ବିମଳାଙ୍କୁ ଲାଗି କରାଯାଏ । ଶ୍ରୀଜଗନ୍ନାଥ ବଲ୍ଲଭ ଭୋଗ ପରେ ବିମଳାଙ୍କୁ ପାଖକୁ ଗୋଟିଏ ଥାଳିରେ ବଲ୍ଳଭ ଭୋଗ ଖଇ, କୋରା, ମାଖନ, ଖୁଆମୁଣ୍ଡା, ପାତି ନଡ଼ିଆ ଓ ପାଚିଲା କଦଳୀ ସମର୍ପଣ କରାଯାଏ । ପହୁଡ଼ ସମୟରେ ନୀତି ପାଇଁ ପଇଡ଼ ଦିଆଯାଏ । ବିମଳାଙ୍କ ପାଖରେ ଭୋଗ ସମର୍ପଣ ହେବା ପରେ ଜଗମୋହନରେ ଥିବା ଚିତ୍ର ଦଶ ମହାବିଦ୍ୟା, ଗଣେଶ, କାର୍ତିକେୟ, ଛାୟାମାୟାଙ୍କୁ ସମର୍ପଣ ହୋଇଥାଏ ।
ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୂଜାକୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି । ରାଜା ଇନ୍ଦ୍ରଦୁ୍ୟମ୍ନ ମନ୍ଦିର ନିର୍ମାଣ କରିବା ପରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକ ଯାଇଥିଲେ । ଏହି ସମୟରେ ବହୁ ଯୁଗ ଅତିକ୍ରାନ୍ତ କରି ଯାଇଥିଲା । ଇନ୍ଦ୍ରଦୁ୍ୟମ୍ନଙ୍କ ଦ୍ୱାରା ନିର୍ମିତ ମନ୍ଦିରଟି ବାଲିରେ ପୋତି ହୋଇଯାଇଥିଲା । ତେବେ ରାଜା ଗାଲମାଧବ ଏହି ମନ୍ଦିରକୁ ଆବିଷ୍କାର କରିବା ପରେ ଭଗବତୀ ବିମଳାଙ୍କର ଆରାଧନା କଲେ । ମା’ ବିମଳା ବନଦୁର୍ଗା ଭାବେ ପୂଜିତ ହେଉଥିଲେ । ଇନ୍ଦ୍ରଦୁ୍ୟମ୍ନ ମର୍ତ୍ୟଲୋକକୁ ଫେରିବା ପରେ ଗାଲମାଧବଙ୍କ ସହ ମନ୍ଦିରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଶେଷରେ ସମନ୍ୱୟ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିରରେ ଦୁର୍ଗା ଓ ମାଧବଙ୍କ ପୂଜା ପଦ୍ଧତି ପ୍ରଚଳିତ ହୋଇଥିଲା ।