ସିଏମ୍ସିର ୫୭୫ଟି ଦୋକାନ ଘରକୁ ଭୂତ ମାଡ଼ି ବସିଛି

କଟକ :ସଂପ୍ରତି ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ପାଖରେ ଆବଶ୍ୟକୀୟ ମାତ୍ରାରେ ଚାକିରି ନାହିଁ । ସ୍ୱାବଲମ୍ବୀ ହେବାକୁ ଚାହୁଁଥିବା ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ସୁଯୋଗ ନାହିଁ । ଛୋଟ ମୋଟ ବ୍ୟବସାୟ କରିବାକୁ ସହରରେ ଜାଗା ନାହିଁ । ସିଏମସିକୁ ଓମଫେଡ୍ ବା ଅନ୍ୟ ବୁଥ କରି ପେଟ ପାଟଣା ଚିନ୍ତା ଦୂର କରିବାକୁ ଚାହୁଁଥିବା ଯୁବକ ବା ଯୁବତୀଙ୍କ ଦରଖାସ୍ତ ବିଚାରକୁ ନିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଛୋଟ ବ୍ୟବସାୟୀଙ୍କ ଲାଗି ନିର୍ମାଣ ହେଇଥିବା ଭେଣ୍ଡିଂଜୋନ୍ କାମରେ ଲାଗୁନି । ଅପର ପକ୍ଷରେ ସିଏମସି ପକ୍ଷରୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିର୍ମାଣ ହୋଇଥିବା ୫୭୫ଟି ଦୋକାନ ଘର ଭୂତ ମାଡ଼ି ବସିଛି । ଏଭଳି ଅବସ୍ଥା ଚାଲିଛି କଟକ ମହାନଗର ନିଗମରେ । 
ଏହି ସମସ୍ୟା ଏବେକାର ନୁହେଁ । ରାଜ୍ୟରେ ୧୯୮୦ରୁ ୧୯୮୯ର କଂଗ୍ରେସ ସରକାର, ଏହାପରେ ୧୯୯୦ରୁ ୧୯୯୫ ଜନତା ଦଳ ସରକାର, ପୁର୍ନବାର ୧୯୯୫ରୁ ୧୯୯୯ କଂଗ୍ରେସ ସରକାର, ୨୦୦୦ରୁ ୨୦୦୯ ବିଜେଡ଼ି ବିଜେପି ମେଣ୍ଟ ସରକାର, ୨୦୦୯ ରୁ ୨୦୨୪ ବିଜେଡ଼ି ସରକାର ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିଥିଲା । ଏବେ ସରକାର ବଦଳିଛି । କଟକ ମହାନଗର ନିଗମରେ ମଧ୍ୟ ଉପରୋକ୍ତ ତିନି ଦଳର ନେତା ଏଠାରେ ପର୍ଯ୍ୟାୟକ୍ରମେ କ୍ଷମତାସୀନ ହୋଇଛନ୍ତି । ମାତ୍ର ସିଏମସିର ଦୋକାନ ଘରର ଆବଣ୍ଟନ ସ୍ୱଚ୍ଛ ହୋଇପାରି ନାହିଁ । କଟକ ମହାନଗର ନିଗମ ଅଂଚଳରେ ଆବଣ୍ଟିତ ହୋଇଥିବା ଦୋକାନ ଘର ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି । ସିଏମସି ପକ୍ଷରୁ ନିର୍ମିତ ଅଧିକାଂଶ ଦୋକାନଗୁଡ଼ିକର ପ୍ରକୃତ ହିତାଧିକାରୀ ବା ଭଡ଼ାରେ ନେଇଥିବା ମାଲିକଙ୍କ ପତ୍ତା ମିଳୁନାହିଁ । ମହାନଗର ନିଗମ ଅଗୋଚରରେ ଏକାଧିକ ପ୍ରକୃତ ହିତାଧିକାରୀ ଦୋକାନ ଘରକୁ ଅନ୍ୟକୁ ଭଡ଼ା ଦେଇ ମାସକୁ ବେଶ ମୋଟା ଅଙ୍କର ଭଡ଼ା ହାସଲ କରୁଛନ୍ତି ବୋଲି ଅଭିଯୋଗ ହୁଏ । ସଂପ୍ରତି ୫୭୫ଜଣ ପ୍ରକୃତ ହିତାଧିକାରୀ ଦୋକାନ ଚଳାଉନଥିବା ଜଣାପଡ଼ିଛି । ତେବେ ଏହାର ତଦନ୍ତ ନିଷ୍ପତ୍ତି ଶୀତଳ ଭଣ୍ଡାରରେ ପଡ଼ି ରହିଛି । ଜଣକ ନାମରେ ଏକାଧିକ ଘର ଥିବାବେଳେ କେତେକ ଦୋକାନରେ ବେଆଇନ କାରବାର ମଧ୍ୟ ଚାଲିଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ନଗର ନିଗମ କର୍ତ୍ତୃପକ୍ଷ ଅବଗତ ଥିବା ସତ୍ତ୍ୱେ ଦୃଢ଼ ପଦକ୍ଷେପ ନିଆନଯିବା ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ସିଏମସି ରାଜସ୍ୱ ବୃଦ୍ଧି ଉଦେ୍ଦଶ୍ୟରେ ବିଭିନ୍ନ ସ୍ଥାନରେ ମାର୍କେଟ କଂପ୍ଲେକ୍ସ କରିଛି । ପ୍ରାୟ ୧୮ଟି ସ୍ଥାନ ଯଥା ବିଜୁପଟ୍ଟନାୟକ ଛକ, ଓଏମପି, କଲେଜ ଛକ, ମାଲଗୋଦାମ ଓଭରବି୍ରଜ ନିକଟ, ନୂଆପଡ଼ା, ଚୌଧୁରୀବଜାର, ଯୋବ୍ରା, ବାଦାମବାଡ଼ି, ମହାନଦୀବିହାର ଓ ପୋତାପୋଖରୀ ପ୍ରଭୃତି ସ୍ଥାନରେ ଏହି ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇଛି । ନିୟମାନୁସାରେ ଦୋକାନଘର ଆବଣ୍ଟନ ଚୁକ୍ତିପତ୍ର ସ୍ୱାକ୍ଷରିତ କରାଯିବା ସହ ଭଡ଼ା ଧାର୍ଯ୍ୟ ହୋଇଥାଏ ଓ ବର୍ଷକୁ ବର୍ଷ ଏହି ଭଡ଼ା ବୃଦ୍ଧି ପାଇଁ ବ୍ୟବସ୍ଥା ରହିଥାଏ । ନିଗମର ବିଭିନ୍ନ ମାର୍କେଟ କଂପ୍ଲେକ୍ସ ଗୁଡ଼ିକରେ ୭୦୮ଟି ଦୋକାନ ଘର ରହିଛି । ଏଥିମଧ୍ୟରୁ ୫୭୫ଟି ଦୋକାନାର ମୂଳ ହିତାଧିକାରୀ ନାହାନ୍ତି । ଗତ ଏପ୍ରିଲମାସରେ ଲାଇସେନ୍ସ ବିଭାଗ ଏହାର ଯାଞ୍ଚ ପାଇଁ ନିଷ୍ପତ୍ତି ନେଇଥିଲା । ନିଗମ କର୍ମଚାରୀ ଓ ଦୋକାନମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଭଡ଼ା ଠିକ ଭାବେ ଆଦାୟ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ସେହିପରି ୩୦ରୁ ୩୫ବର୍ଷ ହେବ ଭଡ଼ା ବୃଦ୍ଧି ମଧ୍ୟ ହୋଇପାରି ନାହିଁ । ତେବେ ଏ ସଂକ୍ରାନ୍ତରେ କାଉନସିଲ ବୈଠକରେ ହୋ-ହାଲ୍ଲା ହେବା ପରେ ନଗର ନିଗମ ପକ୍ଷରୁ ଘର ଭଡ଼ା ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । କେତେ ଦୋକାନ ମାଲିକ ସିଏମସିର ଦୁର୍ବଳତାର ସୁଯୋଗ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହେବାରୁ ଦୋକାନ ଆବଣ୍ଟନ ବ୍ୟବସ୍ଥା ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି । ନିଗମ କର୍ତ୍ତୃପକ୍ଷ ଦୋକାନ ଆବଣ୍ଟନ ଓ ଭଡ଼ା ଧାର୍ଯ୍ୟ ଠିକ୍ ଭାବେ ନ କରିବାରୁ ନିଗମ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରାଜ୍ୱସ ହରାଇବାରେ ଲାଗିଛି । ମହାନଗର ନିଗମ ପକ୍ଷରୁ ୮୨ ଦୋକାନ ଗୃହର ନୂତନ ଚୁକ୍ତିନାମା ଶେଷ ହୋଇଥିବା ବେଳେ ଅବଶିଷ୍ଟ ୬୨୭ ଦୋକାନ ଗୃହ ମଧ୍ୟରୁ ୫୧ଟି ଦୋକାନ ଗୃହର ଲିଗାଲ ହେୟାର ପ୍ରମାଣ ପତ୍ର ପ୍ରଦାନ କରିବା ପରେ ଚୁକ୍ତିନାମା କରାଯିବାକୁ ନିଷ୍ପତ୍ତି ହୋଇଥିଲା ।  ତେବେ ପ୍ରକୃତ ହିତାଧିକାରୀ ନଥିବାରୁ ଦୋକାନ ଘର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନାହିଁ । ସେହିଭଳି ବିନା ଟ୍ରେଡ୍ ଲାଇସେନ୍ସରେ ଦୋକାନଘରେ ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଛି । ସେହିଭଳି ଦୋକାନଘର ଗୁଡ଼ିକର ରକ୍ଷାଣବେକ୍ଷଣ ତଦାରଖରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବହୁ ଦୋକାନଘର ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି । ଗୋଟିଏ ପଟେ ନଗର ନିଗମର ଆର୍ଥôକ ସଂକଟ ସୃଷ୍ଟି ହୋଇଛି । କର୍ମଚାରୀଙ୍କ ବେତନ ଦେବା ପାଇଁ ସିଏମସି ମଧ୍ୟ ସକ୍ଷମ ହେଉନାହିଁ । ଯେଉଁ ଉତ୍ସରୁ ରାଜ୍ୱସ ଆଦାୟ ହେବା କଥା, ତାହା ମଧ୍ୟ ହେଉନାହିଁ ।