ଗାଁରେ ବଢୁଛି "ଘିବଲି’ ଆର୍ଟ କ୍ରେଜ୍
ବ୍ରହ୍ମବରଦା : ଏବେ ଗାଁ ଠୁ ସହର ସବୁଠି ଗୋଟିଏ କଥା ଚର୍ଚ୍ଚା "ଘିବଲି’ । ଗଣମାଧ୍ୟମ ଚ୍ୟାନାଲ ଗୁଡିକ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆର ସବୁ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାଗ୍ରାମ ଓ ଏକ୍ସ ପର୍ଯ୍ୟନ୍ତ ଯୁଆଡେ ଦେଖିବ ସବୁଠି ଓପନ ଏଆଇ ଦ୍ୱାରା ଲଞ୍ଚ ହୋଇଥିବା ଚାଟଜିଟିପିର "ଘିବଲି’ଆର୍ଟର ବହୁଳଭାବେ ପ୍ରଚାର ପ୍ରସାର ଚାଲିଛି । ରାଜନେତା ମାନଙ୍କ ମଧ୍ୟରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଅନ୍ତୁ କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିମ୍ୱା ସେଲିବ୍ରେଟି ମାନେ ସଭିଙ୍କର ଘିବଲି ଷ୍ଟାଇଲ ଆର୍ଟ ଫଟୋ ଏବେ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଘୁରି ବୁଲୁଛି । ଏହି କ୍ରମରେ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ଅଂଚଳରେ ମଧ୍ୟ ଏହି ଘିବଲି ଆର୍ଟର କ୍ରେଜ ବଢିବାରେ ଲାଗିଛି । ପିଲା ଠାରୁ ବୁଢା ଯାଏ ସଭିଙ୍କୁ ଏହି ଘିବଲି ଆର୍ଟର ନିଶା ଏବେ ଘାରିଛି । କିଏ ଚାଟଜିଟିପିରେ ନିଜ ଫଟୋକୁ ଘିବଲି ଷ୍ଟାଇଲ କରୁଛି ତ କିଏ ପୁଣି ବିଭିନ୍ନ ଆପ ସାହାଯ୍ୟରେ କରୁଛି । ବିଶେଷ କରି ଯୁବକଯୁବତୀ ମାନେ ନିଜ ଫଟୋ ସାଙ୍ଗକୁ ନିଜ ସାଙ୍ଗସାଥି ଓ ପରିବାର ଲୋକଙ୍କ ସହିତ ଉଠାଇଥିବା ଫଟୋକୁ ଘିବଲି ଆର୍ଟ ଦ୍ୱାରା କୌତୁକିଆ ବା (କାର୍ଟୁନ ) ଢଙ୍ଗରେ ଉପସ୍ଥାପନ କରାଯାଇ ସୋସିଆଲ ମିଡିଆରେ ଉପଲୋଡ କରାଯାଉଛି । ଯେଉଁ ଫଟୋ ଗୁଡିକ ନିଜ ଫଟୋ ପରି ଅବିକଳ ନକଲ ସାଙ୍ଗକୁ ଦେଖିବାକୁ ବେଶ ମଜାଦାର ଲାଗୁଛି । କିନ୍ତୁ ଏହି ଆପ ବ୍ୟବହାର କରି ନିଜର କିମ୍ୱା ପରିବାରର ଅପଲୋଡ ହେଉଥିବା ଫଟୋର ତଥ୍ୟ ବା ଡାଟାର ଗୋପନୀୟତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଆପ ବ୍ୟବହାରକାରୀର ଫୋନ ଗ୍ୟାଲେରୀରୁ ନିଜର ସବୁ ବ୍ୟକ୍ତିଗତ ତଥ୍ୟ ସାଇବର ଠାକ ମାନେ ଚୋରି କରି ଏହାକୁ ମନ୍ଦ ଉଦେ୍ଦଶ୍ୟରେ ଲଗାଇବାରେ ସମ୍ଭାବନା ସୃଷ୍ଟି ହୋଇଛି । ଯାହାକୁ ନେଇ ସାଇବର ବିଶେଷଜ୍ଞ ସତର୍କ କରାଇବା ସହ ଘିବଲି ଆର୍ଟକୁ ବହୁଳ ଭାବେ ବ୍ୟବହାର ନକରିବା ପାଇଁ ମତପ୍ରକାଶ କରିଛନ୍ତି ।