ଯୁବଗୋଷ୍ଠୀଙ୍କ ମତିଗତି କୁଆଡ଼େ?


ଏଇ ଅଳ୍ପଦିନ ତଳେ ଭଏସ୍ ଫର୍ ଇନ୍କ୍ଲୁଜନ୍, ବିଲ୍ଡିଂ ଏଣ୍ଡ ଏମ୍ପାୱାରମେଣ୍ଟ୍ ନାମକ ଏକ ବେସରକାରୀ ସଙ୍ଗଠନ ପ୍ରୋଜେକ୍ଟ ପୋଟେନସିଆଲ୍ ନାମକ ଆଉ ଏକ ବେସରକାରୀ ସଙ୍ଗଠନ ସହ ମିଶି ଭାରତୀୟ ଯୁବଗୋଷ୍ଠୀଙ୍କର ରାଜନୀତିକ ପରିସ୍ଥିତି ଉପରେ ମନୋଭାବ ସମ୍ପର୍କରେ ଏକ ସର୍ଭେ କରିଥିଲେ । ଏହି ସର୍ଭେର ରିପୋର୍ଟ୍ ଅନୁଯାୟୀ, ୮୧ ପ୍ରତିଶତ ଭାରତୀୟ ଯୁବଗୋଷ୍ଠୀଙ୍କ ମନରେ ଦେଶ ପ୍ରତି ଭାରତୀୟତାର ମନୋଭାବ ସୁଦୃଢ଼ ରହିଛି । ସେମାନେ ନିଜକୁ ଭାରତୀୟ ବୋଲି ଭାବନ୍ତି । ତେବେ ୧୯ ପ୍ରତିଶତ ବ୍ୟକ୍ତିଗତ ପରିଚୟ ଉପରେ ପ୍ରାଧାନ୍ୟ ଦେଉଛନ୍ତି ।  ଦେଶଭକ୍ତିର ଭାବନା ରହି ମଧ୍ୟ ବର୍ତ୍ତମାନ ରାଜନୀତିକ ଦଳ କିମ୍ବା ଲୋକ ପ୍ରତିନିଧିମାନଙ୍କ ଉପରେ ସେମାନେ ଭରସା କରିବାକୁ ଚାହାନ୍ତି ନାହିଁ । ସିଧାସଳଖ କହିବାକୁ ଗଲେ ରାଜନୀତିକ ଦଳ ଏବଂ ଜନପ୍ରତିନିଧଙ୍କ ଉପରେ ଯୁବଗୋଷ୍ଠୀଙ୍କର ୮୧ ପ୍ରତିଶତଙ୍କର ଭରସା ନାହିଁ । ରାଜନୀତିକ ଦଳ ଗୁଡ଼ିକ ଏବଂ ନିର୍ବାଚିତ ପ୍ରତିନିଧି ସବୁ ଦେଶ ପାଇଁ କାମ କରୁଥିବା ନେଇ ସେମାନେ ସନ୍ଦୀହାନ୍ । 
ସେହିପରି ଏହି ରିପୋର୍ଟ ଅନୁଯାୟୀ, ପ୍ରତି ୧୦୦ ଜଣରେ ୪୩ ଜଣ ଘର ଠାରୁ ଦୂରରେ ରହୁଥିବାରୁ ଗତ ଲୋକସଭା ନିର୍ବାଚନରେ ମତଦାନରେ ଅଂଶଗ୍ରହଣ କରିପାରିନାହାନ୍ତି । ଭାରତୀୟ ଯୁବଗୋଷ୍ଠୀ ସାମଗ୍ରିକ ଭାବରେ ରାଜନୀତି ଏବଂ ରାଜନୀତିକ କାର୍ଯ୍ୟକଳାପ ଠାରୁ ଦୂରେଇ ରହୁଛନ୍ତି । କେବଳ ୧୧ ଶତାଂଶ ଯୁବଗୋଷ୍ଠୀ କୌଣସି ନା କୌଣସି ଦଳର ସଦସ୍ୟ ଅଛନ୍ତି । ଏ କ୍ଷେତ୍ରରେ ଲକ୍ଷ କରିବାର କଥା ହେଉଛି ଯେଉଁମାନେ ଦେଶ ସମ୍ପର୍କରେ ସବୁଠୁ ଅଧିକ ଚିନ୍ତା କରିବା କଥା ଏବଂ ଦାୟିତ୍ୱସମ୍ପର୍ଣ୍ଣ ନାଗରିକ ଭାବରେ ଦେଶର ସମସ୍ୟା ଓ ପ୍ରସଙ୍ଗ ପ୍ରତି ସଚେତନ ରହିବା କଥା ସେମାନେ ବର୍ତ୍ତମାନ ଉଦାସୀନ । ଏହା ଦର୍ଶାଇ ଦେଉଛି ଯେ ରାଜନୀତି କ୍ଷେତ୍ରରେ କେବଳ କିଛି ବୟସ୍କ ବ୍ୟକ୍ତି ଯାହା କରୁଛନ୍ତି ସେତିକିରେ ହିଁ ସମସ୍ତ ଦେଶବାସୀ କିଛି ଚିନ୍ତା ନକରି ଗ୍ରହଣ କରିଯାଉଛନ୍ତି । ନିର୍ବାଚନ ସମ୍ପର୍କରେ ଜନଚେତନା ସୃଷ୍ଟି କରି ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଜନଚେତନାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସବୁ ସତ୍ତ୍ୱେ ଯୁବଗୋଷ୍ଠୀ ନିର୍ବାଚନ ପ୍ରକ୍ରିୟା ଠାରୁ ଦୂରେଇ ରହୁଛନ୍ତି ଏବଂ ନିର୍ବାଚନରେ ଯାହା ସବୁ ଘଟିଯାଉଛି ସେଥିରେ କୌଣସି ଆଗ୍ରହ ରଖୁନାହାନ୍ତି । ଯୁବଗୋଷ୍ଠୀ ଅଧିକ ସଂଖ୍ୟାରେ ଯଦି ରାଜନୀତି ପ୍ରତି ଉଦାସ ମନୋଭାବ ପୋଷଣ କରିବେ ତେବେ ଉପଯୁକ୍ତ ପ୍ରତିନିଧି ବାଛିବା କ୍ଷେତ୍ରରେ ହେଉଥିବା ସମସ୍ତ ଉଦ୍ୟମ ବିଫଳ ହୋଇଯିବ । 
ନିର୍ବାଚନ ପ୍ରକି୍ରୟାରେ ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନେ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ସବୁ ରାଜନୀତିକ ଦଳ ଏବଂ ନିର୍ବାଚନ କମିଶନ୍ ମଧ୍ୟ ଚାହୁଁଛନ୍ତି । ଏଥିପାଇଁ ଜନଚେତନା କାର୍ଯ୍ୟକ୍ରମ ଭାବରେ ଦେଶବ୍ୟାପୀ ଯୁବଗୋଷ୍ଠୀ ତଥା ସାଧାରଣ ଜନତାଙ୍କୁ ନେଇ ନିର୍ବାଚନ ଓ ରାଜନୀତି ସମ୍ପର୍କିତ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ତେବେ ଏ କ୍ଷେତ୍ରରେ ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକ କେବଳ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଁ ହେଉଛି । ନୂଆ ଭୋଟର୍ମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ କରି ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅବାଧ ଭାବରେ କରାଯିବା ପାଇଁ ସବୁବେଳେ ଗୁରୁତ୍ୱ ଦିଆଯାଉଛି ।  ତେବେ ଗତ ସାଧାରଣ ନିର୍ବାଚନ ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଅନେକ ପ୍ରକାରର ଅନିୟମିତତା ହୋଇଥିବାର ଅଭିଯୋଗ ଆସିଛି । ଭୋଟରଙ୍କ ସଂଖ୍ୟା ଠାରୁ ଅଧିକ ଭୋଟ୍ ପଡ଼ିଥିବା ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ସମ୍ଭବତଃ ଏହିଭଳି କିଛି କାରଣରୁ ଯୁବଗୋଷ୍ଠୀ ରାଜନୀତିକ ପ୍ରସଙ୍ଗ ଏବଂ ନିର୍ବାଚନ ଗୁଡ଼ିକ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ।