ଅଶୋଧିତ ଇସ୍ପାତ କ୍ଷମତା ୩ ଏମଟିପିଏ ରୁ ୮ଏମଟିପିଏକୁ ବୃଦ୍ଧି ପାଇବ


ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାରେ ଭାରତର ସର୍ବ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଛି । ସମୁଦାୟ ୨୭,୦୦୦କୋଟି ଟଙ୍କା ବିନିଯୋଗରେ କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଏହି କାରଖାନାର ବାର୍ଷିକ ଇସ୍ପାତ ଉତ୍ପାଦନ କ୍ଷମତା ୩ ନିୟୁତ ଟନ୍ରୁ ୮ ନିୟୁତ ଟନ୍କୁ ବୃଦ୍ଧି ପାଇବ । ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିଦେ୍ର୍ଦଶକ ଟିଭି ନରେନ୍ଦ୍ରନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍କୁ ଉଦଘାଟନ କରିଥିଲେ । ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍ କାରଖାନାର ସାମଗ୍ରିକ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ, ଯାହା ଦ୍ୱାରା ଟାଟାଷ୍ଟିଲ ଯାନବାହନ ନିର୍ମାଣ, ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ର, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ ଶିଳ୍ପର ବଢୁଥିବା ଇସ୍ପାତ ଚାହିଦାକୁ ପୂରଣ କରିପାରିବ । ତୈଳ ଓ ଗ୍ୟାସ, ଉତ୍ତୋଳନ ଓ ଖନନ ଏବଂ ନିର୍ମାଣ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ମଧ୍ୟ ଏହା ବହୁତ ସହାୟକ ହେବ । ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସହିତ ଓଡ଼ିଶା, ଟାଟାଷ୍ଟିଲ୍ ପାଇଁ ଏକକ ବୃହତମ ପୁଞ୍ଜିନିବେଶ ସ୍ଥଳ ଭାବେ ଉଭା ହୋଇଛି । ଗତ ୧୦ବର୍ଷ ମଧ୍ୟରେ ଟାଟା ଷ୍ଟିଲ୍ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଛି । ଏହି ଅବସରରେ ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିଦେ୍ର୍ଦଶକ ଟିଭି ନରେନ୍ଦ୍ରନ କହିଛନ୍ତି ଯେ, କଳିଙ୍ଗନଗରରେ ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ ହେବା ଇସ୍ପାତ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଏହା ଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଏବଂ ଦୀର୍ଘସ୍ଥାୟୀତା କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ସମ୍ପ୍ରସାରଣ ଟାଟା ଷ୍ଟିଲର ଉଚ୍ଚସ୍ତରୀୟ, ମୂଲ୍ୟ ଯୁକ୍ତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥିତିକୁ ସୁଦୃଢ଼ କରିବା ସହିତ ଆମର ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା ମଧ୍ୟ ପ୍ରଦର୍ଶନ କରୁଛି । ଏହା ଭାରତରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ପାଇଁ ଦେଶର ଦୂର ଦ୍ରୁଷ୍ଟିକୁ ପ୍ରତିପାଦନ କରୁଛି । ଟାଟାଷ୍ଟିଲ ତରଫରୁ ମୁଁ ଓଡ଼ିଶା ସରକାରଙ୍କୁ ତାଙ୍କର ଅତୁଟ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ହାସଲ କରିବାରେ ଆମର କର୍ମଚାରୀ, ଯୋଗାଣକାରୀ ଏବଂ ଭେଣ୍ଡର ପାର୍ଟନର ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସକୁ ପ୍ରଶଂସା କରୁଛି । ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍ର କ୍ଷମତା ୫,୮୭୦ ଏମ ୩ ଘନମିଟର । ଏହି ନୂଆ ବ୍ଲାଷ୍ଟ ଫର୍ଣ୍ଣେସ୍ର ଦୀର୍ଘସ୍ଥାୟୀତା ପାଇଁ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଓ ଟେକ୍ନୋଲୋଜି ରହିଛି । ଇସ୍ପାତ ନିର୍ମାଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏଥିରେ ଅଧିକ ପରିବେଶ ଅନୁକୂଳ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହି ବ୍ଲାଷ୍ଟ ଫର୍ଣ୍ଣେସ୍ରେ ୪ଟି ଶୀର୍ଷ ଦହନ ଚୁଲା ବ୍ୟବହାର କରାଯିବ, ଯାହା କି ଭାରତରେ ପ୍ରଥମ । ଟାଟା ଷ୍ଟିଲରେ ପ୍ରଥମ ଥର ପାଇଁ ବାୟୋ ପ୍ରୋଡକ୍ଟ ଗ୍ୟାସରୁ ଶକ୍ତି ପୁନରୁଦ୍ଧାର ପାଇଁ ଏକ ଡ୍ରାଏ ଗ୍ୟାସ ସଫେଇ କାରଖାନା ସ୍ଥାପନ କରାଯାଇଛି । କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଏକ ପେଲେଟ୍ ପ୍ଲାଣ୍ଟ, କୋକ୍ ପ୍ଲାଣ୍ଟ ଏବଂ କୋଲ୍ଡ ରୋଲିଂ ମିଲ୍ ମଧ୍ୟ ରହିଛି । ଯେଉଁଥିରେ ଉନ୍ନତ ଜ୍ଞାନକୌଶଳ ଏବଂ ଦୀର୍ଘସ୍ଥାୟୀ ଅନୁକୂଳ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ନୂତନ ଅତ୍ୟାଧୁନିକ ଇସ୍ପାତ କାରଖାନାରେ ଆଧୁନିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁଥିରେ ମୂଲ୍ୟ ଯୁକ୍ତ ଉତ୍ପାଦ, ପରିଚାଳନା ଦକ୍ଷତା ଏବଂ କାର୍ବନ ଫୁଟପ୍ରିଣ୍ଟରେ ଉଲ୍ଲେଖନୀୟ ହ୍ରାସ ଉପରେ ଧ୍ୟାନ ଦିଆଯାଇଛି । ଟାଟାଷ୍ଟିଲ କଳିଙ୍ଗନଗର ହେଉଛି ପ୍ରଥମ ଭାରତୀୟ କାରଖାନା ଯାହାକୁ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ଗ୍ଲୋବାଲ ଲାଇଟ୍ ହାଉସ୍ ନାମରେ ନାମିତ କରାଯାଇଛି । ୨୦୨୪ମସିହାରେ କଳିଙ୍ଗନଗର କାରଖାନାକୁ ସମ୍ମାନଜନକ ରେସପନ୍ସିବଲ ଷ୍ଟିଲ ସାର୍ଟିଫିକେଟ୍ ମିଳିଥିଲା । ଯାହା ଏହାର ଦୀର୍ଘ ସ୍ଥାୟୀତା ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।