ଏଇତ ଜୀବନପଥ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନର ପଥକୁ ନେଇ କିଛି ଅନୁଭବଶୀଳ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଚିନ୍ତା କରିପାରୁଥିବାରୁ ସିଏ ସଂସାରର ସବୁ ପ୍ରାଣୀଙ୍କ ଠାରୁ ଅଲଗା । ପ୍ରତ୍ୟେକ ମଣିଷ ସ୍ୱାଧୀନ ଭାବେ ଚିନ୍ତା କରୁଥିବାରୁ, ତାର ଚିନ୍ତାଧାରା ଉପରେ ହସ୍ତକ୍ଷେପକୁ ସେ ସହ୍ୟ କରିପାରେ ନାହିଁ । ଜୀବନ କାଳ ଭିତରେ ବ୍ୟକ୍ତି ସଂସ୍ପର୍ଶରେ ଅନେକ ଲୋକ ଆସନ୍ତି, ଅନେକ ଲୋକ ଚାଲିଯାଆନ୍ତି । ମଣିଷ କେବେ କେବେ କିଛି ଲୋକଙ୍କୁ ନିଜର କରି ରଖିବାକୁ ଚାହେଁ । କିନ୍ତୁ ଏ ନିଜର କରିବା ଭିତରେ କିଛିଲୋକ ସ୍ୱାର୍ଥ ସରିଗଲେ ନିଜ ଆଡୁ ବାଟ ଭାଙ୍ଗି ପଳେଇଯାଆନ୍ତି । ଟିକିଏ ନିରିଖେଇ ଭାବିଲେ ବୁଝିହୁଏ ଯେ, ଆମ ଇଚ୍ଛାରେ ସବୁକିଛି ଚାଲେ ନାହିଁ । ନିଜେ ଯାହା ଇଚ୍ଛା କରୁ, ତାହା ହେଉ ବୋଲି ସବୁ ମଣିଷ ଚାହେଁ । ଆମେ ଯାହା ଚିନ୍ତା କରୁ, ଅନ୍ୟ ଜଣଙ୍କର ଚିନ୍ତାଧାରା ବା ଭାବନା ଠିକ୍ ସେହିପରି ହେବ ବୋଲି କିଛି ମାନେ ନାହିଁ । ଜୀବନରେ ଆମର ଇଚ୍ଛା ଥାଉ କି ନ ଥାଉ, ତାରି ନିକଟକୁ ଅନେକ ଲୋକ ଆସିବେ ଏବଂ ଅନେକ ଲୋକ ଯିବେ ।
ସଂସାରର ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବିଚାରଧାରାରେ ସଦାବେଳେ ଏକୁଟିଆ । ତେଣୁ କେତେବେଳେ କିଏ କାହା ପାଖକୁ ଆସିବ ଏବଂ କେତେବେଳେ କିଏ ନିଜ ରାସ୍ତାରେ ଚାଲିଯିବ ତାହା ନିଜକୁ ବି ଜଣାନଥାଏ । ପଦେ ପଦେ କଥାରେ ବି ସବୁ ସମ୍ପର୍କ ଭାଙ୍ଗିଯାଏ । ମଣିଷ, ଜୀବନର ରାସ୍ତାରେ ଯିବା ବେଳେ ସାଥୀଟିଏ ବା ବନ୍ଧୁଟିଏ ବା ନିଜର ବୋଲି କାହାକୁ ଭାବୁଥିଲେ ସୁଦ୍ଧା, ସମସ୍ତଙ୍କ ଜୀବନର ରାସ୍ତା ଅଲଗା । କେତେବେଳେ କିଏ ଆସିବ, କେତେବେଳେ କିଏ ଯିବ-ତାର ନିୟନ୍ତ୍ରଣ ବ୍ୟକ୍ତି ହାତରେ ନାହିଁ । ସମୟର ସୁଅରେ ସମସ୍ତେ ପାଣିରେ ଭାସୁଥିବା କାଠି ଖଣ୍ଡେ ମାତ୍ର । କେତେବେଳେ କେଉଁ କାଠି ଦୁଇଟି ଏକାଠି ହୋଇଯିବେ ଏବଂ କେତେବେଳେ ଅଲଗା ହେଇଯିବେ ସେକଥା ମଣିଷ ନିର୍ଦ୍ଧାରଣ କରିପାରେ ନାହିଁ । ତାହା କୌଣସି ଏକ ଅଦୃଶ୍ୟ ଶକ୍ତି ହିଁ ନିର୍ଦ୍ଧାରଣ କରେ । ଆକାଶରେ ଉଡୁଥିବା ଚଢ଼େଇ କେଉଁ କାଠିକୁ ନେଇ ବସା ବାନ୍ଧିବ, ତାହା ଏକ ଅଦୃଶ୍ୟ ଶକ୍ତିର ନିୟନ୍ତ୍ରଣରେ ଥାଏ । ଠିକ୍ ସେହିପରି କିଏ, କେତେବେଳେ କାହା ନିକଟକୁ ଆସିବ ଓ କିଏ କେତେବେଳେ କାହା ଠାରୁ ଦୂରେଇଯିବ ତାର ହିସାବ ରଖିବା କାହା ପକ୍ଷରେ, କଦାପି ବି ସମ୍ଭବ ନୁହେଁ । ସମସ୍ତେ ନିଜ ନିଜ ଜୀବନପଥରେ ଏକାକୀ ପଥିକ । ଜୀବନଟା ସମସ୍ତଙ୍କ ପାଇଁ ବ୍ୟକ୍ତିଗତ । ଯେତେ ଘନିଷ୍ଠ ସମ୍ପର୍କ ଥିଲେ ମଧ୍ୟ ନିଜ ବାଟରେ ଚାଲିଯିବା ପାଇଁ ପ୍ରତି ମୁହୂର୍ତ୍ତରେ ସମସ୍ତେ ପ୍ରସ୍ତୁତ । ଜୀବନର ସିଦ୍ଧାନ୍ତ ବଦଳିଗଲେ, ସମ୍ପର୍କର ସଜ୍ଞା ବି ବଦଳିଯାଏ ଏବଂ ସମସ୍ତେ ନିଜ ନିଜ ବାଟରେ ଚାଲିଯାଆନ୍ତି । ଏଇତ ଜୀବନପଥ । ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।