କ୍ରିକେଟ୍ ଓ କର୍ପୋରେଟ ଜଗତ
୩୦ ବଲରେ ୩୦ ରନ୍ । ଭାରତ ଉପରେ ଦେଶବାସୀଙ୍କ ନଜର । ସ୍ଥିତି ଏପରି ହୋଇଥିଲା ଯେ ବିଶ୍ୱବିଜୟୀ ଟିମ୍ ମେନ୍୍ ଇନ୍ ବ୍ଲ୍ୟୁ ହାରିବାର ସମ୍ଭାବନା ଦେଖାଦେଇଥିଲା । ବାର୍ବାଡୋସ୍ ପଡିଆରେ ଭାରତୀୟ ଖେଳାଳିଙ୍କ ମୁହଁ ଶୁଖିଯାଇଥିଲେ ବି ଭାରତୀୟଙ୍କ ଭରସା ଥିଲା ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ । କ୍ରାଇସିସ ବେଳେ ଧୈର୍ଯ୍ୟର ସହ ସ୍ଥିତିକୁ ମୁକାବିଲା କଲେ ଏବଂ ଶେଷରେ ଭାରତ ବିଶ୍ୱକପ ବିଜୟୀ ହୋଇଛି । ଏହି ସ୍ଥିତିକୁ ପରିଚାଳନା କରିବା ଏତେଟା ସହଜ ନୁହେଁ । କାରଣ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତକୁ ସାମ୍ନା କରିବାକୁ ହେଲେ ଯୋଗ୍ୟତା ଅପେକ୍ଷା ଅଭିଜ୍ଞତା ଏବଂ ଜିତିବାର ମାନସିକତା ଆବଶ୍ୟକ । ଯାହା ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କରି ଦେଖାଇଛନ୍ତି । କ୍ରିକେଟ୍ ଜଗତରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଭାରତର ଅନ୍ୟତମ ସଫଳ ଅଧିନାୟକ ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଦୁହେଁ ଖେଳର ବିଭିନ୍ନ ଫର୍ମାଟରେ ନିଜ ଦଳକୁ ବିଭିନ୍ନ ସମୟରେ ବିଶ୍ୱ ବିଜୟୀ କରାଇବାରେ ଅଦ୍ଭୁତ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଉଭୟଙ୍କ ନେତୃତ୍ୱ ଶୈଳୀ ଏବଂ ରଣନୀତି କର୍ପୋରେଟ୍ ଜଗତ ପାଇଁ ଅନେକ ଶିକ୍ଷା ପ୍ରଦାନ କରେ । ଯେଉଁଠାରେ ସଫଳତା ପାଇଁ ଟିମ୍ ୱାର୍କ ଏବଂ ପ୍ରଭାବଶାଳୀ ପରିଚାଳନା ଗୁରୁତ୍ୱପୂର୍ଣ୍ଣ । କର୍ପୋରେଟ୍ ଦୁନିଆ ହେଉ ଅବା କ୍ରିକେଟ; ଯେଉଁଠି ଚ୍ୟାଲେଞ୍ଜ ପ୍ରତି ମିନିଟରେ ରହିଥାଏ । କର୍ପୋରେଟ ଦୁନିଆର ଉତ୍ପାଦନ ଆଉ କ୍ରିକେଟ ମ୍ୟାଚର ପ୍ରତିଟି ରନ୍ ବା ୱିକେଟର ପ୍ରଭାବ ଲୋକଙ୍କ ଉପରେ ପଡ଼ିଥାଏ । ଏହା ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ହୋଇଥିଲେ ମଧ୍ୟ ନେତୃତ୍ୱ ନେଉଥିବା ବ୍ୟକ୍ତି ସେତିକି ଦକ୍ଷ ହେବା ଆବଶ୍ୟକ । କର୍ପୋରେଟ୍ ଦୁନିଆରେ ଚାକିରିଟିଏ କରିବାକୁ ହେଲେ ଗୋଟିଏ ଭଲ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ । କିନ୍ତୁ ଟିମକୁ ଲିଡ୍ କରିବାକୁ ହେଲେ ଜଣେ ଶୃଙ୍ଖଳିତ ଏବଂ ଅଭିଜ୍ଞ ହେବା ନିତାନ୍ତ ଆବଶ୍ୟକ । ଠିକ୍ ସେହିପରି କ୍ରିକେଟ ଟିମର ନେତୃତ୍ୱ ନେବାକୁ ହେଲେ ସେତିକି ଦକ୍ଷ ଏବଂ ଅନୁଭବୀ ହେବା ଆବଶ୍ୟକ । କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଏଠି ସେଭଳି କିଛି ଅର୍ଥ ରଖେ ନାହିଁ । କାରଣ ଯିଏ ରିସ୍କ ନେଇ ଭଲ ଭାବେ ପରିଚାଳନା କରିପାରିବ ସେ ହିଁ ପାଇବ ସଫଳତା । ଯାହା ଏବେର କର୍ପୋରେଟ୍ ଲିଡରମାନେ ଶିଖିବା ଉଚିତ । ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ । ଚାପରେ ତାଙ୍କ ଶାନ୍ତ ଆଚରଣ ଏବଂ ପଡ଼ିଆରେ କ୍ଷୀପ୍ରଗତିରେ ରଣନୀତିଗତ ନିଷ୍ପତ୍ତି ନେବାର ଦକ୍ଷତା ପାଇଁ ସେ ଜଣାଶୁଣା । ଉଭୟ ଦିନିକିଆ ଓ ଟ୍ୱେଣ୍ଟି-୨୦ ଫର୍ମାଟରେ ଧୋନିଙ୍କ ନେତୃତ୍ୱ ତାଙ୍କ ଅସାଧାରଣ ଗୁଣକୁ ଚିହ୍ନଟ କରିଛି । ରନ୍ ରେଟ୍ ସାଙ୍ଗକୁ ଗ୍ୟାଲେରୀରେ ଦର୍ଶକଙ୍କ ଚାପ ଭଳି ପରିସ୍ଥିତିରେ ନିରବଚ୍ଛିନ୍ନ ରହିବା ଏବଂ ସଠିକ୍ ନିଷ୍ପତ୍ତି ନେବାର ଏହି କ୍ଷମତା କର୍ପୋରେଟ୍ ଲିଡର ବା କୌଣସି ବ୍ୟବସାୟ ବା ଅଫିସର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ।
ଦ୍ରୁତ ଗତିରେ ଏବେ କର୍ପୋରେଟ୍ ଦୁନିଆ ବଦଳୁଛି । ଯେଉଁଠାରେ ବଜାରର ବ୍ୟବସାୟିକ ପରିବେଶ କ୍ରମାଗତ ଭାବରେ ବଦଳୁଛି । ବ୍ୟବସାୟ ପାଇଁ ସ୍ଥିତି ଅନୁକୂଳ ହେବା ଏବଂ ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ଏକ କମ୍ପାନୀର ସଫଳତା କିମ୍ବା ବିଫଳତା ନିର୍ଦ୍ଧାରଣ କରିପାରେ । ଟିମ୍ ଲିଡରମାନେ ସଂଗଠିତ ରହିବାର କ୍ଷମତା ବିକଶିତ କରିବା ଉଚିତ୍, ପରିସ୍ଥିତିକୁ ସଠିକ ଭାବେ ଆକଳନ କରିବା ଏବଂ ଆବଶ୍ୟକ ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବା ଉଚିତ୍ । କ୍ରିକେଟ ପଡ଼ିଆରେ ଧୋନିଙ୍କ ଏହି ସଫଳତା କେବଳ ଏକ ଯୋଜନା ନୁହେଁ, ବରଂ ପରିସ୍ଥିତି ଆବଶ୍ୟକ ସ୍ଥଳେ ଏହାକୁ ବଦଳାଇବା ପାଇଁ ଯଥେଷ୍ଟ ନମ୍ର ହେବାର ଗୁରୁତ୍ୱକୁ ସୂଚାଇ ଦିଏ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ରଣନୈତିକ ଦକ୍ଷତା ପାଇଁ ଜଣାଶୁଣା ରୋହିତ ଶର୍ମା କ୍ରିକେଟର ବିଶେଷକରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏବଂ ଟି-୨୦ରେ ଜଣେ ସଫଳ ଅଧିନାୟକ । ରୋହିତ ଶର୍ମାଙ୍କ ନେତୃତ୍ୱ ଶୈଳୀ, ଖେଳାଳିଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଦଳ ମଧ୍ୟରେ ଏକତାର ଭାବନା ସୃଷ୍ଟି କରିବାର ଦକ୍ଷତା ଦ୍ୱାରା ପରିଚିତ । ସେ ପ୍ରମାଣିତ କରିଛନ୍ତି ଯେ ଜଣେ ଅଧିନାୟକଙ୍କର ଦଳ ଉପରେ ବିଶ୍ୱାସ, ମନୋବଳ ଏବଂ ପ୍ରଦର୍ଶନକୁ ଯଥେଷ୍ଟ ବୃଦ୍ଧି କରିପାରେ । କର୍ପୋରେଟ ଜଗତରେ ବିଶ୍ୱାସ ଓ ଏକତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଜରୁରୀ । ଟିମ୍ ଲିଡରମାନେ ସେମାନଙ୍କ ଟିମ୍ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ, ଖୋଲା ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତ୍ୟେକ ଟିମର ସଦସ୍ୟଙ୍କ ବାର୍ତ୍ତାକୁ ୍ମଧ୍ୟାନ ପୂର୍ବକ ଶୁଣିବା ଉଚିତ । ରୋହିତ ଶର୍ମା ଯେମିତି ଚାପରେ ପ୍ରଦର୍ଶନ କରିବା ପାଇଁ ନିଜ ଦଳକୁ ଉତ୍ସାହିତ କରୁଛନ୍ତି, କର୍ପୋରେଟ୍ ଲିଡରମାନେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିବା ଉଚିତ ଯେଉଁଠାରେ କର୍ମଚାରୀମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ ଏବଂ ସଶକ୍ତ ହେବେ ।
ଚଳିତ ବର୍ଷ ଆଇପିଏଲ୍ ମ୍ୟାଚ ବେଳେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଶୀତଳଯୁଦ୍ଧ ସମସ୍ତଙ୍କୁ ଜଣା । କିନ୍ତୁ ରୋହିତ ଅଧିନାୟକ ଭାବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାବେଳେ ହାର୍ଦ୍ଦିକଙ୍କ ସହ ସେଭଳି କିଛି କରିନାହାନ୍ତି । ବରଂ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମୟରେ ସୁଯୋଗ ଦେଇ ହାର୍ଦ୍ଦିକଙ୍କ ଭାବମୂର୍ତ୍ତିକୁ ବଢ଼ାଇଛନ୍ତି ରୋହିତ । ଯାହା ଏକ ଟିମ ଲିଡରର ଅସଲ ପରିଚୟ । ଉଭୟ ଧୋନି ଏବଂ ରୋହିତ ଶର୍ମା ନିଜର ଅଭିନବ ଚିନ୍ତାଧାରା ଏବଂ ରଣନୈତିକ ଦୂରଦୃଷ୍ଟି ପାଇଁ ଜଣାଶୁଣା । ୨୦୧୧ ବିଶ୍ୱକପ୍ ଫାଇନାଲରେ ବ୍ୟାଟିଂ କ୍ରମରେ ଉପରକୁ ଆସିବା ଧୋନିଙ୍କ ନିଷ୍ପତ୍ତି ଦଳର ବୃହତ୍ତର ମଙ୍ଗଳ ପାଇଁ ଏକ ସୁଚିନ୍ତିତ ରଣନୀତିର ପ୍ରମାଣ । ସେହିଭଳି ରୋହିତ ଶର୍ମାଙ୍କ ଷ୍ଟ୍ରାଟେଜିକ୍ ଫିଲ୍ଡ ପ୍ଲେସମେଂଟ ଓ ବ୍ୟାଟିଂ ଅର୍ଡର ନିଷ୍ପତ୍ତି ଅନେକ ସମୟରେ ତାଙ୍କ ସପକ୍ଷରେ ଯାଇଛି । କର୍ପୋରେଟ୍ କ୍ଷେତ୍ରରେ ପ୍ରତିଯୋଗିତାରେ ଆଗୁଆ ରହିବା ପାଇଁ ନୂଆ ନୂଆ ଆଇଡିଆ ଓ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ । ଟିମର ଲିଡରମାନେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଉଚିତ ଏବଂ ଅଣପାରମ୍ପରିକ ଚିନ୍ତାଧାରା ଆଲୋଚନା ପାଇଁ ମନଖୋଲା ରଖିବା ଉଚିତ । ଯାହା ସଫଳତାର ସମାଧାନର କାରଣ ହୋଇପାରେ । ଧୋନି ଏବଂ ରୋହିତ ଶର୍ମାଙ୍କ ରଣନୈତିକ ନିଷ୍ପତ୍ତି ଭଳି ଆଗୁଆ ଚିନ୍ତାଧାରା ଉପରେ ଗୁରୁତ୍ୱ ଦେବା ଏବଂ ରିସ୍କ ନେବାକୁ ଇଚ୍ଛୁକ ହେବା ଏକ କମ୍ପାନୀକୁ ନୂଆ ଶିଖରରେ ପହଁଚାଇପାରେ । ଯେପରି କି କ୍ରିକେଟ୍ ପଡ଼ିଆରେ ଐତିହାସିକ ବିଜୟ ହାସଲ କରିଛି ଇଣ୍ଡିଆ । ଧୋନି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସବୁଠାରୁ ଆକର୍ଷଣୀୟ ଗୁଣ ହେଉଛି ବିଫଳତା ସାମ୍ନାରେ ସେମାନଙ୍କର ସ୍ଥିରତା । ଦୁହେଁ ଅନେକ ଝଟକା ଏବଂ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ତଥାପି ଉଭୟ କ୍ରମାଗତ ଭାବରେ ନୂଆ ଉତ୍ସାହ ଏବଂ ଦୃଢ଼ ସଂକଳ୍ପ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବିପର୍ଯ୍ୟୟ ପରେ ଧୋନିଙ୍କ ଦଳକୁ ଏକାଗ୍ର ରଖିବାର ଦକ୍ଷତା ଏବଂ ରୋହିତ ଶର୍ମାଙ୍କ ପରାଜୟ ଧାରାକୁ ବଦଳାଇବାର ଦକ୍ଷତା ସେମାନଙ୍କ ସ୍ଥିରତା ଏବଂ ମାନସିକ ଦୃଢ଼ତାକୁ ପ୍ରତିଫଳିତ କରିଥାଏ ।
କର୍ପୋରେଟ୍ ଦୁନିଆରେ ଲିଡର ଏବଂ ଟିମ୍ ଗୁଡିକ ପାଇଁ ସ୍ଥିରତା ଏକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା । ବିଫଳତାକୁ ସୁନ୍ଦର ଭାବରେ ପରିଚାଳନା କରିବା, ଶିଖିବା ଏବଂ ଦକ୍ଷତା ବଢ଼ାଇବା ହିଁ ସଫଳତା ଦିଏ । ଯାହା ପରୋକ୍ଷରେ କମ୍ପାନୀକୁ ନୂଆ ପରିଚୟ ଦିଏ । ଟିମ୍ ଲିଡରମାନେ ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଚିତ, ଯେଉଁଠାରେ ବିଫଳତାକୁ ଶେଷ ବିନ୍ଦୁ ପରିବର୍ତ୍ତେ ଅଭିବୃଦ୍ଧି ଏବଂ ଶିକ୍ଷଣର ସୁଯୋଗ ଭାବରେ ଦେଖାଯିବ । ଏହି ସ୍ଥିରତା କେବଳ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରେ ନାହିଁ ବରଂ ଟିମ ମଧ୍ୟରେ ଧୈର୍ଯ୍ୟ ଏବଂ ଆଶାବାଦୀ ଭାବନା ସୃଷ୍ଟି କରେ । କ୍ରିକେଟରେ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ସଫଳତା କର୍ପୋରେଟ୍ ଜଗତ ପାଇଁ ଅମୂଲ୍ୟ ଶିକ୍ଷା ପ୍ରଦାନ କରେ । ଅନୁକୂଳତା ଏବଂ ସ୍ଥିରତାଠାରୁ ଆରମ୍ଭ କରି ରଣନୈତିକ ଚିନ୍ତାଧାରା ଏବଂ ନୈତିକ ନେତୃତ୍ୱ ପର୍ଯ୍ୟନ୍ତ, ସେମାନଙ୍କର ନେତୃତ୍ୱ ଶୈଳୀ ଆଜିର ବ୍ୟବସାୟିକ ଦୃଶ୍ୟପଟର ଜଟିଳତାକୁ ଗତିଦେବା ପାଇଁ ଏକ ଖସଡା ପ୍ରସ୍ତୁତ କରେ । ଏହି ଶିକ୍ଷାଗୁଡ଼ିକୁ ଗ୍ରହଣ କରି କର୍ପୋରେଟ୍ ଲିଡରମାନେ ଅଧିକ ଶକ୍ତିଶାଳୀ, ଅଧିକ ସମନ୍ୱିତ ଟିମ୍ ଗଠନ କରିପାରିବେ ଏବଂ ସେମାନଙ୍କ ସଂଗଠନକୁ ନିରନ୍ତର ସଫଳତା ଆଡକୁ ଆଗେଇ ନେଇପାରିବେ । ଧୋନି ଓ ରୋହିତ ଶର୍ମା ଯେପରି କ୍ରିକେଟ୍ ପଡ଼ିଆରେ ନିଜ ଦଳକୁ ବିଜୟୀ କରାଇଛନ୍ତି, କର୍ପୋରେଟ୍ ଲିଡରମାନେ ସେମାନଙ୍କ ଟିମ୍ ବା କମ୍ପାନୀକୁ ବ୍ୟବସାୟ ଜଗତରେ ସଫଳତା ହାସଲ କରିବାକୁ ପ୍ରେରଣା ଦେଇପାରିବେ । ଏହାହିଁ ପ୍ରମାଣ କରୁଛି ଖେଳ ବି ବ୍ୟବସାୟୀର ବାଟ ସୁଗମ କରେ ।
ମୋ:୯୬୯୨୦୦୨୯୨୯