ରାଜନୀତିଜ୍ଞ ଜାନକୀ ବଲ୍ଲଭ 


ଡା.ବିଚିତ୍ରାନନ୍ଦ ଆଚାର୍ଯ୍ୟ : ରାଜନୈତିକ ବିଷାରଦମାନେ ଜାନକୀବଲ୍ଲଭଙ୍କୁ ଓଡ଼ିଶା ରାଜନୀତିର ଚାଣକ୍ୟ ଭାବେ ଅଭିହିତ କରନ୍ତି । ତେବେ ଅନେକଙ୍କ ମତ ହେଲା ଓଡ଼ିଶା ରାଜନୀତିର ଏକ ଧୂରିଣ ଓ ପ୍ରବୀଣ ଜନନେତା ଜଣକ କେବଳ ଚାଣକ୍ୟ ନୁହନ୍ତି, ଚନ୍ଦ୍ରଗୁପ୍ତର ଭୂମିକାରେ ମଧ୍ୟ ସମାନ ଭାବେ ସଫଳ ଓ ଯଶସ୍ୱୀ । ତାଙ୍କ ଦୀର୍ଘ ରାଜନୈତିକ ଜୀବନକୁ ଅବଲୋକନ କଲେ ଜଣାପଡ଼େ ଯଥାର୍ଥରେ ଜାନକୀବଲ୍ଲଭ ହିଁ ଥିଲେ ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀର ଇତିହାସ । ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ ହରେକୃଷ୍ଣ ମହତାବଙ୍କ ପ୍ରିୟ ଶିଷ୍ୟ ଜାନକୀବଲ୍ଲଭ ୧୯୫୨ରେ ପ୍ରଜାତନ୍ତ୍ରର ସମ୍ପାଦନା କରିବା ଦିନଠାରୁ ତାଙ୍କର ରାଜନୀତିକ ଖଡ଼ିଛୁଆଁ ହୋଇ ସାରିଥିଲା କହିଲେ ଅତୁ୍ୟକ୍ତି ହେବନାହିଁ । ସେହିବର୍ଷ ସେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ନବକୃଷ୍ଣ ଚୌଧୁରୀଙ୍କ ପାଇଁ ପ୍ରଚାର କରିଥିଲେ । ପରେ ୧୯୫୪ରେ ସେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ ହେଲେ । ଡ. ମହତାବଙ୍କ ଅନେକ ନିର୍ବାଚନରେ ପ୍ରତ୍ୟକ୍ଷ ପରିଚାଳନା ଦାୟିତ୍ୱ ତୁଲାଇବା ଭିତରେ ସାରା ଓଡ଼ିଶାର କଂଗ୍ରେସ ଲୋକଙ୍କ ସହ ଜାନକୀବଲ୍ଲଭଙ୍କ ପ୍ରତ୍ୟକ୍ଷ ସମ୍ପର୍କର ସେତୁ ପ୍ରତିଷ୍ଠା ହୋଇପାରିଥିଲା, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ରାଜ୍ୟସ୍ତରୀୟ ନେତା ହେବାରେ ଖୁବ୍ ସାହାଯ୍ୟ କରିଥିଲା ।  ମୂଳରୁ କଂଗ୍ରେସ ରାଜନୀତି ସହ ସଂପୃକ୍ତ ଜାନକୀବଲ୍ଲଭଙ୍କୁ ଶେଷରେ ୧୯୭୧ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ କଟକ ସଦର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳିଲା । ଆଉ ଏହି ନିର୍ବାଚନରେ ସେ ବିପୁଳ ଭୋଟରେ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ପାର୍ଲାମେଣ୍ଟକୁ ଗଲେ । ଓଡ଼ିଶାର ସ୍ୱାର୍ଥହାନି କଥା ଉଠିଲେ, କଂଗ୍ରେସ ଦଳର ସାଂସଦ ହୋଇ ମଧ୍ୟ ସେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ସମାଲୋଚନା କରିବାକୁ ପଛାଉନଥିଲେ ।
ସଂସଦରେ ଜାନକୀ ବଲ୍ଲଭଙ୍କ ବହୁମୁଖୀ ପ୍ରତିଭାର ନିଦର୍ଶନ ପାଇବା ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୩ରେ ଜାନକୀ ବଲ୍ଲଭଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ବିଭାଗରେ ଉପମନ୍ତ୍ରୀ ଭାବେ ଦାୟିତ୍ୱ ଅର୍ପଣ କଲେ । ସେତିକିବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଅନ୍ୟତମ ଯୁବ ସାଂସଦ ଭାବେ ଜାନକୀବଲ୍ଲଭଙ୍କ ସହ ଅନ୍ୟତମ ଉପମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଜାନକୀ ବଲ୍ଲଭଙ୍କ ଦକ୍ଷତାରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ପରେ ତାଙ୍କୁ ସେହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ପଦୋନ୍ନତି ଦେଇଥିଲେ । ଜାନକୀବଲ୍ଲଭ ପାର୍ଲାମେଣ୍ଟକୁ ପ୍ରଥମ ପ୍ରବେଶରେ ମନ୍ତ୍ରୀ ପାଇବାକୁ କେବଳ ଯୋଗ୍ୟ ହୋଇନଥିଲେ, ଇନ୍ଦିରାଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ସେ ଥିଲେ ଏକମାତ୍ର ମନ୍ତ୍ରୀ । ଜରୁରୀକାଳୀନ ପରିସ୍ଥିତି ପରବର୍ତ୍ତୀ ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସ ଦଳର ଦାରୁଣ ପରାଜୟ ପରେ ଦୃଢ଼ମନା ଇନ୍ଦିରା ଏଥିରେ ଦବି ନଯାଇ ଦଳକୁ ସଜାଡ଼ିବାକୁ ପୁଣି ଥରେ ଅଣ୍ଟା ଭିଡ଼ିଲେ । ଆଉ ଏତିକିବେଳେ ଓଡ଼ିଶାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କଂଗ୍ରେସ ସଂଗଠନର ପୁନର୍ବିନ୍ୟାସ ପାଇଁ ଦାୟିତ୍ୱ ମିଳିଲା ଜାନକୀବଲ୍ଲଭଙ୍କୁ । ୧୯୬୮ରେ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇ ନିଜର ବିଚକ୍ଷଣ ବୁଦ୍ଧି ଓ କଠିନ ପରିଶ୍ରମ ଜରିଆରେ ଭୁଶୁଡ଼ି ପଡ଼ିଥିବା ସଂଗଠନରେ ନୂତନ ଶକ୍ତି ଭରିବାରେ ସଫଳ ହେଲେ ।  ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପାଇବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ନଅ ରାଜ୍ୟର ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ କରାଇଲେ । ସେହିବର୍ଷ ମେ' ମାସରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଜାନକୀବଲ୍ଲଭଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୭ରୁ ୧୧୦ଟି ଆସନରେ ବିଜୟ ଲାଭ କଲା । ଆଉ କେବେ ବିଧାନସଭାର ସଦସ୍ୟ ନଥାଇ ମଧ୍ୟ ଜାନକୀ ବଲ୍ଲଭ ସର୍ବସମ୍ମତ କ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେଲେ । ତାଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଗତିର ରଥ ତ୍ୱରାନ୍ୱିତ ହେଲା । ୧୯୮୪ରେ ନିଜ ସୁରକ୍ଷାକର୍ମୀଙ୍କ ଗୁଳିରେ ଇନ୍ଦିରା ନିହତ ହେବାପରେ ୧୯୮୫ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଜାନକୀ ବଲ୍ଲଭଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୧୭ ଆସନ ଜିତି ଅଭୂତପୂର୍ଣ୍ଣ ସଫଳତା ହାସଲ କଲା ଏବଂ ଜାନକୀବଲ୍ଳଭ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ସଫଳତାର ଶିଖର ଛୁଇଁଲେ ।   ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ତାଙ୍କ ବିରୋଧରେ ଯୋଜନାବଦ୍ଧ ଅପପ୍ରଚାର କ୍ରମଶଃ ଦଳ ଭିତରେ ତାଙ୍କର ପ୍ରତିଷ୍ଠାରେ ଆଣିଲା । ୧୯୮୯ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟର ନୈତିକ ଦାୟିତ୍ୱ ମୁଣ୍ଡାଇ ଜାନକୀବଲ୍ଲଭ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ଦୁଇ ମାସ ପରେ ନୂତନ ପିସିସି ସଭାପତି ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ରାଜ୍ୟରେ ନିର୍ବାଚନ ଲଢ଼ି କଂଗ୍ରେସ ଦଳ ମାତ୍ର ୧୦ଟି ଆସନ ଜିତିବାକୁ ସକ୍ଷମ ହେଲା । ବିଜୁ ବାବୁ ଜନତା ଦଳର ସର୍ବସମ୍ମତ ନେତା ଭାବେ ବିପୁଳ ବିଜୟ ହାସଲ କରି ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ଜାନକୀ ବଲ୍ଲଭଙ୍କୁ ଅଣଦେଖା କରିବାର ଫଳ ମିଳିଲା । ତେବେ ଏହି ପରାଜୟରେ ଭାଙ୍ଗ ନପଡ଼ି ଜାନକୀ ବଲ୍ଲଭ ପୁଣିଥରେ ଦଳକୁ ସଜାଡ଼ିବାରେ ମନ ଦେଲେ । ତେଣେ କେନ୍ଦ୍ରରେ ଭିପି ସିଂହ ସରକାରର ପତନ ପରେ ୧୯୯୧ରେ ପୁଣିଥରେ ଲୋକସଭା ନିର୍ବାଚନ ହେଲା ଏବଂ ଏହି ନିର୍ବାଚନରେ କଟକ ଲୋକସଭା ନିର୍ବାଚନରୁ ପ୍ରାର୍ଥୀ ହୋଇ ଜାନକୀ ବଲ୍ଲଭ ପରାଜିତ ହେଲେ । ତେବେ ୧୯୯୫ରୁ ୧୯୯୯ ଦୀର୍ଘ ଚାରି ବର୍ଷ ଧରି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ରାଜ୍ୟର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କଲେ ମଧ୍ୟ ପୁଣିଥରେ ଦଳର କେନ୍ଦ୍ରୀୟ ସ୍ତରରେ ତାଙ୍କୁ ଅଣଦେଖା କରାଗଲା ଏବଂ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ଚକ୍ରାନ୍ତ ଯୋଗୁଁ ନିଜର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା । ଦୀର୍ଘ ବର୍ଷର ବ୍ୟବଧାନ ପରେ ୨୦୦୪ରେ ସେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହେଲେ ମଧ୍ୟ କଂଗ୍ରେସ ବିରୋଧୀ ଦଳ ଆସନରେ ରହିବାରୁ ୨୦୦୪ରୁ ୨୦୦୯ ଯାଏ ସେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଭୂମିକା ନିର୍ବାହ କଲେ । ଏହାପରେ ପ୍ରତ୍ୟକ୍ଷ ରାଜନୀତିରୁ ଏକପ୍ରକାର ଅବ୍ୟାହିତ ନେଇ ଯାଇଥିବା ଜାନକୀ ବଲ୍ଲଭଙ୍କୁ ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଓ ବିପୁଳ ରାଜନୈତିକ ଅଭିଜ୍ଞତା ଆଧାରରେ ଆସାମର ରାଜ୍ୟପାଳ ଭାବେ ମନୋନୀତ କରାଗଲା ଏବଂ ଆସାମର ସର୍ବକାଳୀନ ଲୋକପ୍ରିୟ ରାଜ୍ୟପାଳ ଭାବେ ୨୦୦୯ରୁ ୨୦୧୪ ଯାଏ ଦାୟିତ୍ୱ ତୁଲାଇ ସେ ନିକଟରେ ଓଡ଼ିଶା ଫେରିଥିଲେ ।
ମୋ : ୯୪୩୭୨୪୨୩୧୭