ଉପାସନା ପୀଠ ବିବାଦ ପ୍ରସଙ୍ଗ
ସଂପ୍ରତି ଦେଶରେ ବିଭିନ୍ନ ବିଶେଷକରି କେତେକ ନିର୍ଦ୍ଦିଷ୍ଟ ଉପାସନା ପୀଠ (ମନ୍ଦିର ଓ ମସଜିଦ) ବିବାଦକୁ ନେଇ ଯେଉଁ ନ୍ୟାୟିକ ଓ ଆଇନଗତ ଜଟିଳତା ସୃଷ୍ଟି ହୋଇଥିଲା ତାହା ଏକ ପ୍ରକାର ସାମୟିକ ଆଶ୍ୱସ୍ତିର ବାଟ ଦେଖାଯାଇଛି । ସୂଚନା ଥାଉକି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଉପାସନା ପୀଠ ବା ସ୍ୱତନ୍ତ୍ର ପ୍ରାବଧାନ ଆଇନ ୧୯୯୧ର ବୈଧତା ପ୍ରସଙ୍ଗରେ ଆସିଥିବା ମାମଲାଟିର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅବସରରେ, ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ମନ୍ଦିର ମସଜିଦ ସଂକ୍ରାନ୍ତୀୟ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ତାଙ୍କ ଅନ୍ତରୀଣ ନିଦେ୍ର୍ଦଶରେ ଜଣାଇଛନ୍ତି । ତାଙ୍କ ଆଦେଶରେ ସ୍ପଷ୍ଟ ରହିଛି ଯେ ଏ ନେଇ ନିମ୍ନ ଅଦାଲତ ମାନଙ୍କରେ ଏହି ସମ୍ପର୍କିତ ରୁଜୁ ହୋଇଥିବା କୌଣସି ମାମଲାର ଶୁଣାଣି ହେବ ନାହିଁ କିମ୍ବା କୌଣସି ଅନ୍ତରୀଣ ହେଉ ବା ଅନ୍ତିମ ଏପରିକି ସର୍ବେକ୍ଷଣ ପାଇଁ ନିମ୍ନ ଅଦାଲତମାନେ ଅନୁମତି ଦେଇ ପାରିବେ ନାହିଁ । ଆଇନର ଜଟିଳତା ନେଇ ଆସନ୍ତା ଚାରି ସପ୍ତାହ ମଧ୍ୟରେ ପକ୍ଷ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ମାନ୍ୟବର ଖଣ୍ଡପୀଠ ଏହି ମର୍ମରେ ନିଦେ୍ର୍ଦଶ ଦେଇଛନ୍ତି । ବାସ୍ତବ କଥା ହେଉଛି ମାମଲାର ଶୁଣାଣି କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ନିଶ୍ଚିନ୍ତ ଭାବେ ଅନିର୍ଦ୍ଦିଷ୍ଟ ଓ ଅନିଶ୍ଚିତ କହିଲେ ଅତୁ୍ୟକ୍ତି ହେବନାହିଁ । ତେଣୁ ସେ ପର୍ଯ୍ୟନ୍ତ ଧର୍ମ ଆଧାରରେ କୋର୍ଟ କଚେରି ବିବାଦ ଓ ବିତର୍କ ଦେଶବାସୀଙ୍କୁ ଆଲୋଚନାର ଅନ୍ତତଃ ବାଟ ନଦେଖାଇ ବରଂ ସାମୟିକ ଆଶ୍ୱସ୍ତି ଦେବ ।
ସୂଚନାଥାଉକି ମଧ୍ୟପ୍ରଦେଶର ଭୋଜଶାଳା, ଦିଲ୍ଲୀର କୁତବମିନାର, ମଥୁରାର ସାହି ଇଦଗା ମସଜିଦ (କୃଷ୍ଣ ଜନ୍ମଭୂମି), ମହାରାଷ୍ଟ୍ରର ହାଜି ମଲଙ୍ଗ ଦରଘା, ବାରାଣାସୀର ଜ୍ଞାନବ୍ୟାପି ମସଜିଦ, ଉତ୍ତର ପ୍ରଦେଶ ସମ୍ବଲ ସାହି ଜାମା ମସଜିଦ ଓ ରାଜସ୍ଥାନର ଆଜମେର ସ୍ଥିତ ସାହି ଦରଘା ଏହିପରି ଦେଶର ବିଭିନ୍ନ ଅଦାଲତରେ ଦଶଟି ମାମଲା ରୁଜୁ ହୋଇଛି । ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ ହୋଇଥିବାର ଅଭିଯୋଗ ରହୁଥିବାରୁ ପୂର୍ବ ସ୍ଥିତି ନିର୍ଦ୍ଧାରଣ ପାଇଁ ବ୍ୟାପକ ସର୍ବେକ୍ଷଣ ଦ୍ୱାରା ନିଶ୍ଚିନ୍ତ କରିବାକୁ ବିଭିନ୍ନ ଅଦାଲତରେ ଆବେଦନ ଓ ପାଲଟା ଆବେଦନର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ଉପାସନା ପୀଠ (ସ୍ୱତନ୍ତ୍ର ପ୍ରାବଧାନ ଆଇନ ୧୯୯୧ର) କେତେକ ଧାରା ଅନେକ ବିତର୍କ ସୃଷ୍ଟି କରିଥିବାବେଳେ ଆଇନର ବୈଧତାକୁ ନେଇ ସର୍ବୋଚ୍ଚ ଅଦାଲତରେ ସଂଖ୍ୟାଧିକ ମାମଲା ଦାୟର ହୋଇଛି । ୧୯୯୧ରେ ରାମଜନ୍ମଭୂମି ବ୍ରବ୍ରି ମସଜିଦ ବିବାଦର ଉଗ୍ର ରାଜନୈତିକ ପ୍ରଭାବରୁ ଦେଶର ଧର୍ମନିରପେକ୍ଷତା ଭାବମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଆଣିଥିବା ଏହି ଆଇନ ଅନୁଯାୟୀ ଦେଶ ସ୍ୱାଧୀନ ହେବା ସମୟରେ ଦେଶର ଧାର୍ମିକ ଓ ଉପାସନା ପୀଠଗୁଡ଼ିକର ସ୍ଥିତାବସ୍ଥା ଯାହା ଥିଲେ ସେଥିରେ କୌଣସି ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରିବ ନାହିଁ କି ଅନ୍ୟ କୌଣସି ଧର୍ମ ସଂସ୍ଥାକୁ ହସ୍ତାନ୍ତର କରାଯାଇପାରିବ ନାହିଁ ଏବଂ ଉପାସନା, ପ୍ରାର୍ଥନା, ପୂଜାର୍ଚ୍ଚନା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଆଇନ ପ୍ରଣୀତ ହେବା ପୂର୍ବରୁ ଏ ସମ୍ପର୍କିତ ବିିଭିନ୍ନ ଅଦାଲତରେ ରୁଜୁ ହୋଇଥିବା ମାମଲାର ଆଉ କୌଣସି ଗୁରୁତ୍ୱ ରହିବ ନାହିଁ କି ଏ ସମ୍ପର୍କିତ କୌଣସି ମାମଲା ପରବର୍ତ୍ତୀ ସମୟରେ ଅଦାଲତରେ ଦାୟର ହୋଇପାରିବ ନାହିଁ ବୋଲି ଆଇନରେ ସ୍ପଷ୍ଟ କରାଯାଇଛି । ରାମ ଜନ୍ମଭୂମି - ବାବ୍ରି ମସଜିଦ ମାମଲାର ଜଟିଳତା ଦୃଷ୍ଟିରୁ ତାହାକୁ ଆଇନ ପରିସରଭୁକ୍ତ କରାଯାଇ ନଥିଲା । କିନ୍ତୁ ଜ୍ଞାନବାପୀ,ସମ୍ବଲ ଓ ଆଜମେର ପ୍ରସଙ୍ଗରେ ନିମ୍ନ ଅଦାଲତମାନେ ଦେଇଥିବା ରାୟ ଏବଂ ସର୍ବୋଚ୍ଚ ଅଦାଲତଙ୍କ ସମ୍ମତି ଉପରୋକ୍ତ ଆଇନର ଉଲ୍ଲଘଂନ କରୁଛି ବୋଲି କଂଗ୍ରେସ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି । ଏପରିକି ୨୦୨୩ରେ ଜ୍ଞାନବାପି ମସଜିଦରେ ସର୍ବେକ୍ଷଣ ପାଇଁ ଅନୁମତି ଦେବା ଅବସରରେ ସର୍ବୋଚ୍ଚ ଅଦାଲତର ତକ୍ରାଳୀନ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡ ପୀଠ ଆଇନର ଭୁଲ ତର୍ଜମା କରିଥିବା ଅଭିଯୋଗ ହେଉଛି । ଆଇନର ଜଟିଳତା ସମ୍ପର୍କରେ ନିଜ ପକ୍ଷ ରଖିବାକୁ ସର୍ବୋଚ୍ଚ ଅଦାଲତ ତିନିବର୍ଷ ତଳୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ ଏହି ଜଟିଳତା ଆହୁରି ପ୍ରଲମ୍ବିତ ହେବାରେ ଲାଗିଛି ।
ଭାରତୀୟ ନ୍ୟାୟପାଳିକା ସୁଦୃଢ଼ ନିରପେକ୍ଷ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଦେଖିଲେ ଯାହା ସୂଚୀତ ହୁଏ ବିଧାନ ପାଳିକାର ଆଇନ ପ୍ରଣୟନ କରିବାର କ୍ଷମତା ରହୁଥିବାବେଳେ ଏଥିରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ନାହିଁ । କେବଳ ସରକାରଙ୍କ ପ୍ରଣୀତ ଆଇନ ସାମ୍ବିଧାନିକ ମୌଳିକତାକୁ ବିରୁଦ୍ଧାଚରଣ କରୁଛି କି ନାହିଁ ତାହା କେବଳ ତର୍ଜମା କରିବା ଦାୟିତ୍ୱ ନ୍ୟାୟପାଳିକାର । ତେଣୁ ଉପାସନା ପୀଠ ସ୍ୱତନ୍ତ୍ର ପ୍ରାବଧାନ ଆଇନ ୧୯୯୧ର ବୈଧତା ଉପରେ ହସ୍ତକ୍ଷେପ ନକରି ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ଏହାର ସ୍ଥିତାବସ୍ଥା ବଜାୟ ରଖିଛନ୍ତି । ଏ ସହିତ ମାନ୍ୟବର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଇତିହାସର ଭୁଲ ଭଟକାକୁ ଆଧାର କରି ଭବିଷ୍ୟତର କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରାଯାଇପାରିବ ନାହିଁ । ମାନ୍ୟବର ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠଙ୍କ ନିଦେ୍ର୍ଦଶ ପରେ ଏହା ଆଇନଗତ ଭାବେ ଏକ ବଡ଼ ଆଲୋଚନ ମଧ୍ୟ ରଖିଛି । ତେଣୁ ଏ ପ୍ରସଙ୍ଗରେ ଆଗକୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ବିଚାର ନିର୍ଣ୍ଣୟ କ'ଣ ହେବ ଏହାକୁ ନେଇ ସମସ୍ତଙ୍କ ଉକ୍ରଣ୍ଠା ଓ ଆଗ୍ରହ ରହିବା ସ୍ୱାଭାବିକ । ତେବେ ଅନ୍ତତଃ କିଛି ଦିନ ପାଇଁ ନ୍ୟାୟିକ ଜଞ୍ଜାଳରୁ ସାମୟିକ ଆଶ୍ୱସ୍ତି ମିଳିଛି କହିଲେ ଅତୁ୍ୟକ୍ତି ହେବନାହିଁ ।
ଯୁଧିଷ୍ଠିର ମହାରଣା