ଲୋପ ପାଇବାକୁ ବସିଲାଣି ‘ବାଈ ଚଢେଇ’ ବସା

ବୁଗୁଡ଼ା :  ଯୁଗ ଯୁଗ ଧରି ପ୍ରକୃତିର ବିସ୍ମୟ ଭାବେ ବିବେଚିତ ହେଉଥିବା ପକ୍ଷୀ ଜଗତର କ୍ଷୁଦ୍ର ପକ୍ଷୀ ବାଇ ଚଢେଇ ଓ ତାହାର ବସା ଏବେ ବିଲୁପ୍ତ ହେବାକୁ ବସିଲାଣି  । ୮୦ ଦଶକରେ ଏମାନଙ୍କ ସଂଖ୍ୟା ଅଗଣିତ ଥିଲା । ଗ୍ରାମରେ ବିଲମାଳ, ପଡିଆଜମି ପାଖରେ ଥିବା ତାଳ ଓ ଖଜୁରି ଗଛରେ ବାଇ ଚଢେଇ ବସା ଦେଖିବାକୁ ମିଳୁଥିଲା । ଏବେ ଏହି ସଂଖ୍ୟା ଢେର ହ୍ରାସ ପାଇଛି । କାଁଭାଁ ସ୍ଥାନରେ ଏହି ପକ୍ଷୀଙ୍କ ବସା ଦେଖିବାକୁ ମିଳୁଛି । ତାଳ ଗଛର ଅଗ୍ରଭାଗରେ ଜୀବନ୍ତ ପତ୍ରକୁ ଥଣ୍ଟ ମୁନରେ ସରୁ ସରୁ ଚିରି ତଳ ମୁହାଁ ଝୁଲନ୍ତା ବସା ନିର୍ମାଣ ଶୈଳୀ ମନୁଷ୍ୟ ଦ୍ୱାରା ସମ୍ଭବ ହୋଇନଥାଏ । ଏହି କାରିଗର ବିଦ୍ୟା କ୍ଷୁଦ୍ର ପକ୍ଷୀର ଜନ୍ମଜାତ ଓ ପ୍ରକୃତିଦତ୍ତ ଗୁଣ । ଯେତେ ଜୋରରେ ପବନ ବହିଲେ ବି ବସାର କିଛି ବି କ୍ଷତି ହୋଇନଥାଏ । ବର୍ଷା, କୁଆପଥର ମାଡରେ ଏହି କୁନି ପକ୍ଷୀର ମଧ୍ୟ କିଛି କ୍ଷତି ହୋଇନଥାଏ । ପ୍ରତିବର୍ଷ ବାଇ ଚଢେଇ ନିଜର ବସାକୁ ନୂଆଁରେ ତିଆରି କରିଥାଏ । ମୌସୁମୀ ଆଗମନର କିଛିଦିନ ପୂର୍ବରୁ ବସା ବାନ୍ଧିବା ଦେଖିବାକୁ ମିଳିଥାଏ । ବାଇ ଚଢେଇ ବସା ବାନ୍ଧିଲେ ଚାଷୀ ଖୁସି ହୋଇଥାନ୍ତି । ଚାଷୀ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତି ସହ ମୌସୁମୀ ଆସିଗଲା ବୋଲି ଧରି ନେଇଥାନ୍ତି । ଅତୀତରେ ଚାଳଛପର ଘରେ ରହୁଥିବା କୃଷକଙ୍କ ଏହି ଚଢେଇ ଏକ ପ୍ରକାର ବନ୍ଧୁ ଭାବେ ଜଣାଶୁଣା ଥିଲା । ଚାଷ ଜମିରେ ଏହି ପ୍ରଜାତିର ଚଢେଇ ଛୋଟ ଛୋଟ ପୋକଜୋକ ଖାଇଥାନ୍ତି, ଯାହାକି ଚାଷୀର ଫସଲ କୀଟପତଙ୍ଗ ଦାଉରୁ ସୁରକ୍ଷା ଦେଇଥାଏ । ଏବେ ଆଧୁନିକ ଯୁଗରେ ଚାଳଘର ସ୍ୱପ୍ନ ପାଲଟିବାରୁ ସେମାନଙ୍କ ସଂଖ୍ୟା ଲୋପ ପାଇବାକୁ ଲାଗିଲା । ଏଥିସହ ମୋବାଇଲ ଟାୱାର ସଂଖ୍ୟା ବୃଦ୍ଧି ଏମାନଙ୍କ ପାଇଁ ବିପଦ ହୋଇଛି । ଟାୱାରର କ୍ଷତିକାରକ ବିକିରଣ ଏହି ପକ୍ଷୀଙ୍କ ବଂଶ ବିସ୍ତାର କରିବାରେ ପ୍ରତିବନ୍ଧକ ସାଜିଛି । ଯାହାଫଳରେ ବାଇ ଚଢେଇ ବଂଶ ଆସ୍ତେ ଆସ୍ତେ ଲୋପ ପାଇବାରେ ଲାଗିଛି । ସେହିପରି ଚାଷୀ ଜମିରେ ବିଭିନ୍ନ ରାସୟନିକ ସାର ପ୍ରୟୋଗ କରୁଥିବାରୁ ବାଇ ଚଢେଇ ଆଉ ଜମିମାଳକୁ ଯାଉ ନାହାଁନ୍ତି । କିଛି ସମାଜସେବୀ ଏହି ବିଲୁପ୍ତ ହେବାକୁ ବସିଥିବା ବାଇ ଚଢେଇର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ସରକାରୀ କିମ୍ବା ବେସରାକରୀ ଜାଗାରେ ବନବିଭାଗ ଦ୍ୱାରା ଖଜୁରି ଗଛ ଲଗାଯିବା ଏବଂ ଗ୍ରାମାଞ୍ଚଳର ଘର ଗୁଡିକ ସମ୍ମୁଖରେ ଅସ୍ଥାୟୀ ଚଢେଇ ବସା ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।